Header Ads

Saturday, December 3, 2016

ବିଶ୍ଵ ମାନଚିତ୍ରରେ ମୋ ଗାଆଁ

ଏସିଆ ମହାଦେଶର ସର୍ବ ବୃହତ୍ତମ ଲୁଣା ହ୍ରଦ ଚିଲିକାର ଉତ୍ତର-ପୂର୍ବ ଉପକୂଳରେ ଅବସ୍ଥିତ ଗାଁ ଟିର ନାଁ ମଙ୍ଗଳାଯୋଡି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅଧିନସ୍ଥ ଟାଙ୍ଗୀ ବସଷ୍ଟାଣ୍ଡ ଠାରୁ ଦକ୍ଷିଣ-ପୂର୍ବ ଦିଗକୁ ମାତ୍ର ୫ କିଲୋମିଟର ଦୂର । ଏହାର ଆର୍ଦ୍ର ଭୂମି ବିଦେଶାଗତ ପକ୍ଷୀ ମାନଙ୍କୁ ଆକ୍ରୁଷ୍ଟ କରିଥାଏ । ଶୀତଦିନେ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ଶହ ଶହ ସଂଖ୍ୟାରେ ଆକର୍ଷଣୀୟ ରଙ୍ଗ ବେରଙ୍ଗ ତଥା ବିଭିନ୍ନ ପ୍ରଜାତିର ପକ୍ଷୀ ମାନେ ହଜାର ହଜାର ମାଇଲି ଅତିକ୍ରମ କରି ଏହି ସ୍ଥାନକୁ ଆସିଥାନ୍ତି । ସତେ ଯେମିତ ଏହି ସ୍ଥାନଟି ସେମାନଙ୍କ ପାଇଁ ସ୍ଵର୍ଗ ପାଲଟିଯାଏ । ତେଣୁ ଏହି ସ୍ଥାନଟିକୁ “ପକ୍ଷୀ ମାନଙ୍କର ସ୍ଵର୍ଗ” ବୋଲି କୁହାଯାଏ । ବର୍ଷ ବର୍ଷ ଧରି ଅନେକ ବ୍ୟକ୍ତି ବିଶେଷ, ସଂଗଠନ ଏବଂ ଗବେଷକ ମାନେ ଏହି ସ୍ଥାନଟିକୁ ପରୀକ୍ଷା ନିରୀକ୍ଷା କରି “ପକ୍ଷୀ ମାନଙ୍କର ସ୍ଵର୍ଗ” ହିସାବରେ ଅଭିହିତ କରିବା ସହିତ ଏହାକୁ ଏକ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳର ମାନ୍ୟତା ନିମନ୍ତେ ଦାବି କରି ଆସିଛନ୍ତି । ଯାହାକି ଆନ୍ତର୍ଜାତିକ ସ୍ତରରେ ଏକ ପକ୍ଷୀ ଅଭୟାରଣ୍ୟର ମାନ୍ୟତା ଲାଭ କରି ସାରିଛି । ଶୀତ ଦିନେ ପକ୍ଷୀ ମାନଙ୍କର ସୌନ୍ଦର୍ଜ୍ୟ ଉପଭୋଗ କରିବା ପାଇଁ ତଥା ପକ୍ଷୀ ମାନଙ୍କର ଗତିବିଧି ଓ ଚାଲି ଚଳନ ଉପରେ ଗବେଷଣା କରିବା ପାଇଁ ଅନେକ ପକ୍ଷୀପ୍ରେମୀ ଦର୍ଶକ ଏବଂ ଗବେଷକ ମାନେ ଦେଶ ତଥା ଦେଶ ବାହାରୁ ଶହ ଶହ ସଂଖ୍ୟାରେ ଏଠାକୁ ଆସିଥାନ୍ତି । ୨୦୦୧ ମସିହାରେ ମଙ୍ଗଳଯୋଡି ଆର୍ଦ୍ରଭୂମିର ଏହି ଦୀର୍ଘ ଗବେଷଣା ସରକାରୀ ସ୍ତରରେ ସ୍ବୀକୃତି ଲାଭ କରିଥିଲା ଏବଂ ଏହି ବର୍ଷ ପାଳିତ “ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ” ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଏହି ସ୍ଥାନ ପରିଦର୍ଶନରେ ଆସି ମଙ୍ଗଳଯୋଡି ଗ୍ରାମବାସୀ ତଥା ୱାଇଲ୍ଡ ଓଡିଶା ସଂଗଠନର ସହଯୋଗରେ ଗଠିତ “ଶ୍ରୀ ଶ୍ରୀ ମହାବୀର ପକ୍ଷୀ ସୁରକ୍ଷା ସମିତି” (ଯାହାକି ବିଦେଶାଗତ ପକ୍ଷୀ ମାନଙ୍କୁ ଅତିଥି ମନେକରି ସେମାନଙ୍କ ସୁରକ୍ଷା ନିମନ୍ତେ ଅହରହ ଉଦ୍ୟମ ଜାରି ରଖିଛନ୍ତି) ଏହି ସମିତିର ସଦସ୍ୟ ମାନଙ୍କୁ “ପକ୍ଷୀ ବନ୍ଧୁ ପୁରସ୍କାର” ସହିତ ମାନପତ୍ର ମଧ୍ୟ ପ୍ରଦାନ କରିଥିଲେ ।

ମଙ୍ଗଳାଯୋଡିର ଅତୀତ ଇତିହାସ ସୁଚେଇଦିଏ ଏହାର ମର୍ଯ୍ୟାଦାପୂର୍ଣ୍ଣ କଳା ଓ ସଂସ୍କୃତିକୁ । ଏକଦା ଏହି ଗାଁ ଟି ଉତ୍କଳୀୟ ନୌବାଣିଜ୍ୟର ପେଣ୍ଠସ୍ଥଳ ଭାବେ ପରିଗଣିତ ଥିଲା ଏହାର ପ୍ରମାଣ ମିଳେ । ଅଦ୍ୟାବଧି ବୋଇତ ବନ୍ଦାଣ ପରମ୍ପରା ମଙ୍ଗଳାଯୋଡିରେ ପ୍ରଚଳିତ ହୋଇ ଆସୁଅଛି । ଗ୍ରାମର ମଧ୍ୟଭାଗରେ ଅବସ୍ଥିତ ପତିତପାବନଦେବ ମନ୍ଦିର ଉତ୍କଳୀୟ କଳା ଚାତୁରୀର ଏକ ଜ୍ଵଳନ୍ତ ନିଦର୍ଶନ । ଏହାଛଡା ଛୋଟ ଛୋଟ ମନ୍ଦିର ମାନ ଗ୍ରାମର ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳେ । ଜଣାପଡେ ଈଶ୍ଵରୀୟ ଭକ୍ତି ଆଉ ଚେତନାର ମାର୍ଗରେ ସାରା ଗ୍ରାମବାସୀ ପରିଚାଳିତ ଥିଲେ । ବାରମାସେ ତେରପର୍ବ ପାଳନ ସହିତ ଧାର୍ମିକ ବାତାବରଣ ଭିତରେ ମଙ୍ଗଳଯୋଡିର ସାମାଜିକ ଜୀବନଚର୍ଯ୍ୟା ଅତିବାହିତ ହେଉଥିଲା । ଉନବିଂଶ ଶତାଦ୍ଦୀରୁ ଗ୍ରାମର ମଧ୍ୟଭାଗରେ ଥିବା ମଝିଆଣୀ ତାରାଦେବୀ ମନ୍ଦିର ସମ୍ମୁଖରେ ଏକ ବାଦୀପାଲା ମଣ୍ଡପ ରହିଅଛି ଯେଉଁଠାରେ ପ୍ରତିବର୍ଷ ରଜପର୍ବରେ ୪ ଦିନ ବ୍ୟାପୀ ବାଦୀପାଲା ପରିବେଷଣ ହୋଇ ଆସୁଅଛି । ଭଗବତ ଚେତନାରେ ଉଦ୍ବୁଦ୍ଧ ଗ୍ରାମବାସୀମାନେ ପତିତପାବନ ମନ୍ଦିର ପରିସରରେ ପ୍ରତିବର୍ଷ ଭଗବତ ସପ୍ତାହ ପାଳନ କରନ୍ତି । ଈଶ୍ଵରୀୟ ଚେତନା, କଳା ଓ ସଂସ୍କୃତିରେ ଭରପୁର ମଙ୍ଗଳଯୋଡିରେ ଅଦ୍ୟାବଧି କେଉଁ ପ୍ରାଚୀନ କାଳରୁ ଶ୍ରୀରାମଲୀଳା ଓ ଦଣ୍ଡଯାତ୍ରା ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ । ଗାଦୀଶ୍ଵରଦେବଙ୍କ ମନ୍ଦିର ପୀଠରେ ୧୩ ଦିନରୁ ୨୧ ଦିନ ଧରି ମେରୁ ସଙ୍କ୍ରାନ୍ତି ପର୍ଯ୍ୟନ୍ତ ଦଣ୍ଡ ଉସ୍ଛବ ଅନୁଷ୍ଠିତ ହୁଏ । ଏବଂ ଗ୍ରାମର ବିଭିନ୍ନ ସ୍ଥାନରେ ଶ୍ରୀରାମନବମୀ ଅବସରରେ ଶ୍ରୀରାମଲୀଳା ନାଟକ ପରିବେଷଣ ହୋଇଥାଏ । ଏହି ସବୁ ପ୍ରାଚୀନ ଲୋକନୃତ୍ୟର ପରମ୍ପରା ମଙ୍ଗଳଯୋଡିର ଧର୍ମୀୟ ଭାବନା ଓ ନୃତ୍ୟକଳାର ନିଖୁଣ ପରିଚୟ ପ୍ରଦାନ କରେ । ପାଇକପୁଅର ଜନ୍ମମାଟି ମଙ୍ଗଳାଯୋଡି ସୁଚେଇଦିଏ ଏହାର ବୀରତ୍ଵର ଗାରିମାକୁ । ପାଇକଆଖଡା ପ୍ରଶିକ୍ଷଣ ଗୃହ ଆଉ ମଙ୍ଗଳାଯୋଡିରେ ପାଇକପୁଅର ସାହି ପ୍ରତିଟି କାନେ କାନେ କହିଯାଏ ତା’ର ଗାରିମମୟ ବୀରତ୍ଵର କାହାଣୀ ।

ଏହାଛଡା ଶିଲ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଏହା ଜିଲ୍ଲାର ଏକ ପ୍ରମୁଖ ସ୍ଥାନ । ମଙ୍ଗଳାଯୋଡିରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ମାଛ ରପ୍ତାନି କରାଯାଇଥାଏ । ଏଠାରେ ସ୍ଵତନ୍ତ୍ର ଭାବେ ମାଛଘାଟ ଓ ମାଛ ଗୋଦାମ ମାନ ରହିଅଛି । ମଙ୍ଗଳାଯୋଡିରେ ତିଆରି କାଠ ଡଙ୍ଗାର ଚାହିଦା ଖୁବ ବେଶି । ଅନ୍ୟାନ୍ୟ କାଠଶିଳ୍ପ ଏବଂ ବାଉଁଶଶିଳ୍ପ କାରିଗର ମାନେ ବିଭିନ୍ନ ଘରକରଣା ଜିନିଷ ପ୍ରସ୍ତୁତ କରି ବିକ୍ରି କରିଥାନ୍ତି । ଏବଂ ଗାଁ’ର ଅଧିକାଂଶ ଅଧିବାସୀ କୃଷି ଉପରେ ନିର୍ଭର କରନ୍ତି । ନିକଟରେ ଖୋର୍ଦ୍ଧା ଜିଲାର ନୂତନ ଗ୍ରାମପଞ୍ଚାୟତ ପୁନର୍ଗଠନରେ ମଙ୍ଗଳାଯୋଡି ଏକ ସ୍ଵତନ୍ତ୍ର ଗ୍ରାମପଞ୍ଚାୟତ ଭାବେ ପରିଗଣିତ ହେବାକୁ ଯାଉଛି । ପଞ୍ଚାଯତର ମର୍ଯ୍ୟାଦା ପାଇବାପରେ ଏହାର ସର୍ବାଙ୍ଗୀନ ଉନ୍ନତ୍ତି ନିମନ୍ତେ ସରକାରଙ୍କ ଆନ୍ତରିକତା ଆଶାକରାଯାଏ । ଆନ୍ତର୍ଜାତିକ ସ୍ତରରେ ମଙ୍ଗଳାଯୋଡି “ପକ୍ଷୀ ମାନଙ୍କର ସ୍ଵର୍ଗ” ଭାବେ ପରିଗଣିତ ହେଉଥିବାରୁ ବିଶ୍ଵ ମାନଚିତ୍ରରେ ଏହାର ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିବାପାଇଁ ସରକାରୀ ସ୍ତରରେ ଏହାକୁ ଅବହେଳା କରାନଯାଉ ।

Readers Count

ହୃଦୟର କବିତା

କଥା ଓ କାହାଣୀ

ଭ୍ରମଣ ଓ ଅନୁଭୂତି