Header Ads

Wednesday, January 18, 2017

ଓଡିଶାରେ ଆକାଶବାଣୀରେ ଇତିହାସ



ଓଡିଶାର ଶିକ୍ଷା, କଳା, ସଂସ୍କୃତି ଓ ଐତିହ୍ୟ ସହିତ ଜଡିତ ରହିଥିବା ଆକାଶବାଣୀ କଟକ କେନ୍ଦ୍ର ୧୯୪୮ ମସିହା ଜାନୁଆରୀ ୨୮ତାରିଖରେ ଓଡିଶାର କଟକ ଠାରେ ପ୍ରତିଷ୍ଠିତ ହୋଇଥିଲା । ‘ବନ୍ଦେ ମାତରମ୍’ ଉଚ୍ଚାରଣରୁ ଆକାଶବାଣୀର ଦୈନଦିନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ । ଓଡ଼ିଶାର ପ୍ରାଚୀନ ଐତିହ୍ୟ, ସଂସ୍କୃତି, ଶିକ୍ଷା, ସ୍ଵାସ୍ଥ୍ୟସୂଚନା, ସମ୍ବାଦ, ଭାଷା, ସାହିତ୍ୟ, କଳା, ସ୍ଥାପତ୍ୟ, ଧର୍ମ, ଜୀବନଧାରା, ଦର୍ଶନ, କୃଷି, ଅର୍ଥନୀତି, ଆଇନ, ଶିଳ୍ପବିକାଶ, ରାଜନୈତିକ ଓ ଐତିହାସିକ କାର୍ଯ୍ୟକ୍ରମଗୁଡ଼ିକ ଆବହମାନ କାଳରୁ ପ୍ରସାରଣ କରିଆସୁଛି । ଏହି କେନ୍ଦ୍ରରୁ ପ୍ରସାରିତ ବନ୍ଦନା, ଅନୁଚିନ୍ତା, କୃଷି ପ୍ରସଙ୍ଗ, ପାଣିପାଗ, ଆଞ୍ଚଳିକ ସମ୍ବାଦ, ଆଜିର ପ୍ରସଙ୍ଗ, ଜନଜୀବନ ସମ୍ବାଦ, ଜିଲ୍ଲା ହାଲଚାଲ, ସମାଚାର ଦର୍ପଣ, ବିଶେଷ ସମାଚାର, ପ୍ରଭାତ ପରିକ୍ରମା, ଲୋକଗୀତ, ଯଥା- ପାଲା, ଦାସକାଠିଆ, ଏକତାରା, ଖଞ୍ଜଣି ଭଜନ, ଚଇତିଘୋଡା ନୃତ୍ୟ, ଘୁମୁରା ଗୀତ, କେଳାକେଲୁଣୀ, ଧୁଡୁକୀ, କେନ୍ଦରା, ଯାତ୍ରାଗୀତ, ପାଟୁଆଗୀତ, ଗୋପାଳଙ୍କ ଓଗାଳ, ଲୋକବାଦ୍ୟ ଯଥା- ମୃଦଙ୍ଗ, ତେଲିଙ୍ଗି ବାଦ୍ୟ, ଯୋଡିନାଗରା, ଶଙ୍ଖବାଦ୍ୟ, ସଙ୍ଗୀତ ନାଟକ, ରୂପକ, ବେତାର ବିବରଣୀ, ଯୁବବାଣୀ,ଶିକ୍ଷା, ନାରୀମହଲ, ବିଜ୍ଞାନ ପ୍ରଭା, ଶିଶୁ ସଂସାର, କ୍ରୀଡା ଧାରାବିବରଣୀ, ରଥଯାତ୍ରା ଧାରାବିବରଣୀଠାରୁ ଆରମ୍ଭ କରି ଭାଗବତ ଓ ରାମାୟଣ ପର୍ଯ୍ୟନ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥାଏ । କୃଷିଭିତ୍ତିକ କାର୍ଯ୍ୟକ୍ରମ, ଆକାଶବାଣୀର ଅନ୍ୟତମ ଲୋକାଭିମୁଖୀ କାର୍ଯ୍ୟକ୍ରମ ଅଟେ । ଆକାଶବାଣୀର ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟରେ ‘ନାଟକ’ ର ସ୍ଥାନ ସ୍ଵତନ୍ତ୍ର । ଆକାଶବାଣୀରେ ସଙ୍ଗୀତ କାର୍ଯ୍ୟକ୍ରମର ଚାହିଦା ଅନେକ । ପ୍ରତି ଗାୟକ ଓ ଗାୟିକାଙ୍କର ଆକାଶବାଣୀର ସ୍ଵୀକୃତିପ୍ରାପ୍ତ କଳାକାର ହେବାଲାଗି ସ୍ଵପ୍ନ ରହିଥାଏ । ଓଡ଼ିଶାର ବହୁ ପ୍ରତିଷ୍ଠିତ ଗାୟକ ଓ ସଙ୍ଗୀତଜ୍ଞ ଆକାଶବାଣୀ ମାଧ୍ୟମରେ ଛାନ୍ଦ, ଭଜନ, ଜଣାଣ, ଦେଶବନ୍ଦନା, ଚମ୍ପୂ, ଓଡ଼ିଶୀ, ପଲ୍ଲୀଗୀତ ଏବଂ ଆଧୁନିକ ଗୀତ ପରିବେଷଣ କରି ଓଡ଼ିଶାର ସଙ୍ଗୀତ ପରମ୍ପରାକୁ ଲୋକପ୍ରିୟ କରାଇବାରେ ସମର୍ଥ ହୋଇଛନ୍ତି । ଶିଶୁ, ଯୁବଗୋଷ୍ଠୀ, ମହିଳା ଓ ବୟସ୍କ ମାନଙ୍କ ନିମନ୍ତେ “ଶିଶୁ ସଂସାର, ଗାନ୍ଧୀ ଚର୍ଚା, ଯୁବବାଣୀ, ନାରୀମହଲ, ଓ ମାନନୀୟେଷୁ” ଆଦି କାର୍ଯ୍ୟକ୍ରମ ପ୍ରସାରିତ ହୋଇଥାଏ । ଏହାଛଡା “ସାହିତ୍ୟ ପତ୍ରିକା, ବିଜ୍ଞାନ ପ୍ରଭା, କ୍ରିଡା, ଶିଳ୍ପ, ସାକ୍ଷାତକାର, ଚିଠିପତ୍ର ଓ ଫୋନ ଇନ” ଇତ୍ୟାଦି କାର୍ଯ୍ୟକ୍ରମ ଆକାଶବାଣୀର ଲୋକପ୍ରିୟତା ବୃଦ୍ଧିରେ ବିଶେଷ ସହାୟତା ହୋଇପାରିଛି । ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।


ଆକାଶବାଣୀର ଇତିହାସ –
୧୯୪୮ ଜାନୁଆରୀ ୨୮ତାରିଖରେ ଆକାଶବାଣୀ ର କାର୍ଯ୍ୟକ୍ରମ ପ୍ରସାରଣ ପ୍ରଥମେ ଏକ କିଲୋୱାଟ ଶକ୍ତି ସମ୍ପର୍ନ୍ନ ଟ୍ରାନ୍ସମିଟର ଦ୍ଵାରା କିଲ୍ଲାପଡ଼ିଆରୁ ଆରମ୍ଭ କରାଯାଇଥିଲା ।
୧୯୫୮ ମସିହା ମେ ମାସରେ ଫକୀରପଡାଠାରେ ୨୦ କିଲୋୱାଟ ଟ୍ରାନ୍ସମିଟର ଦ୍ଵାରା କାର୍ଯ୍ଯକ୍ରମ ସମ୍ପାଦନ କରାଯାଇଥିଲା ।
୧୯୬୨ ମସିହା ଅଗଷ୍ଟ ୧୯ ତାରିଖରୁ କିଲ୍ଲାପୋର୍ଟରେ ଥିବା ଏକ କିଲୋୱାଟ ଟ୍ରାନ୍ସମିଟରରୁ ‘ବିବିଧ ଭାରତୀ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।
୧୯୭୫ ମସିହା ମଇ ମାସ ୧ ତାରିଖରୁ ‘ବିଜ୍ଞାପନ ପ୍ରସାରଣ ସେବା’ ଆରମ୍ଭ ହୋଇଥିଲା ।
୧୯୭୪ ମସିହା ନଭେମ୍ବର ୧୯ତାରିଖରେ ୧୦୦ କିଲୋୱାଟ ଶକ୍ତି ସମ୍ପର୍ଣ୍ଣ ଟ୍ରାନ୍ସମିଟର ସ୍ଥାପନା କରାଗଲା ଓ ଆକାଶବାଣୀର କାର୍ଯ୍ୟକ୍ରମ ବାଲେଶ୍ଵରଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଶ୍ରୋତାଙ୍କ ପାଖରେ ପହଞ୍ଚି ପାରିଲା ।
୧୯୭୬ ମସିହା ଜାନୁଆରୀ ୨୭ ତାରିଖରେ ଭୁବନେଶ୍ଵରରେ ପ୍ରତିଷ୍ଠା କରାଗଲା ଏକ ସହାୟକ ଷ୍ଟୁଡିଓ ।
୧୯୭୭ ମସିହା ଡିସେମ୍ବର ୨୫ ତାରିଖରେ, ଆକାଶବାଣୀ କଟକର ନିଜସ୍ଵ ଟାଇପ-୪ ଷ୍ଟୁଡିଓକୁ କଟକର ୩, କାଣ୍ଟନମେଣ୍ଟ ରୋଡ଼ଠାରେ କାର୍ଯ୍ୟକ୍ଷମ କରାଗଲା । ଏବେ ସେହି, ଷ୍ଟୁଡିଓରୁ ଆକାଶବାଣୀ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି ।
୧୯୯୬ ମସିହା ମାର୍ଚ୍ଚ ମାସ ତିନି ତାରିଖରୁ ଆକାଶବାଣୀର ଏଫ୍.ଏମ୍ ପ୍ରସାରଣ ସେବା ଆରମ୍ଭ କରାଗଲା ।
୨୦୦୩ ମସିହା ଜାନୁଆରୀ ୧୩ ତାରିଖରେ ଆକାଶବାଣୀ କଟକ କେନ୍ଦ୍ରରେ ସ୍ଥାପନ କରାଗଲା ଫ୍ରାନ୍ସରୁ ଆସିଥିବା ୩୦୦ କିଲୋୱାଟ ମିଡିୟମ ୱେଭ ଟ୍ରାନସମିଟର । ଏହି ଟ୍ରାନ୍ସମିଟରର ଗୁଣାତ୍ମକମାନ ସର୍ବାଧିକ ହୋଇଥିବାରୁ, ଆମ ରାଜ୍ୟର ସମସ୍ତ ଅଞ୍ଚଳର ଶ୍ରୋତା ଏହା ମାଧ୍ୟମରେ ଆକାଶବାଣୀର କାର୍ଯ୍ୟକ୍ରମ ଶୁଣି ପାରୁଛନ୍ତି ।
୨୦୦୬ ମସିହା ଅକ୍ଟୋବର ମାସ ୨ ତାରିଖରୁ ଆରମ୍ଭ ହୋଇଛି, ଉପଗ୍ରହ ମାଧ୍ୟମରେ ଡି.ଟି.ଏଚ୍. ସେବା । ଏହା ଡିଜିଟାଲ୍ ହୋଇଥିବାରୁ, ଏହାର ଗୁଣାତ୍ମକମାନ ସର୍ବାଧିକ ଉଚ୍ଚକୋଟୀର ଏବଂ ଏହି ବ୍ୟବସ୍ଥା ଦ୍ଵାରା ବିଶ୍ଵର ଯେକୌଣସି ସ୍ଥାନରେ ଥିବା ବ୍ୟକ୍ତିବିଶେଷ ଆକାଶବାଣୀର କାର୍ଯ୍ୟକ୍ରମ ଶୁଣିବାରେ ସକ୍ଷମ ହୋଇପାରୁଛନ୍ତି । (ବିଭିନ୍ନ ସୂତ୍ରରୁ ସଂଗୃହୀତ ତଥ୍ୟ ଆଧାରରେ)

Readers Count

ହୃଦୟର କବିତା

କଥା ଓ କାହାଣୀ

ଭ୍ରମଣ ଓ ଅନୁଭୂତି