Header Ads

Monday, December 18, 2017

ଅନ୍ୟ ଏକ ପୃଥିବୀର ଏଲିଅନ

ସମଗ୍ର ଘରଟା ଭିତରେ ଖାଁ ଖାଁ ର ରାଜତ୍ଵ । ଶୀତୁଆ ସକାଳର କୋହଲା ପାଗଟାରେ ପଙ୍ଖାଟି ଖୁବ ଦ୍ରୁତଗତିରେ ଘୂରିବୁଲୁଥିଲେ ସୁଧା ବିଶ୍ଵଜିତଙ୍କ କପୋଳ ଦେଶରେ ଅସଂଖ୍ୟ ଘର୍ମ ବିନ୍ଦୁ । ଯେମିତି ଗୋଟେ କାଳ ନାଗୁଣୀ ତାଙ୍କୁ ପ୍ରତି ମୁହୂର୍ତ୍ତରେ ଦଂଶନ କରିବାକୁ ମାଡି ଆସୁଛି । କୋଉଥିରେ ବା ତାଙ୍କର ଅଭାବ ! ପ୍ରତିପତ୍ତି ଆଉ ଆଭିଜାତ୍ୟର ଯଥେଷ୍ଟ ପ୍ରତିଷ୍ଠା ରହିଛି ତାଙ୍କର ସମାଜରେ । ପରିବାରର ଜଣେ ସୁଯୋଗ୍ୟ ସନ୍ତାନ ହିସାବରେ କାନାଡାର ମୋଣ୍ଟେରାଲ ଠାରେ ଥିବା ମ୍ୟାକଗିଲ ଇଉନିଭରସିଟିରୁ ଉଚ୍ଚଶିକ୍ଷା ଶେଷ କରି ସେ ଆଜି ନାସା ମହାକାଶ ଗବେଷଣା କେନ୍ଦ୍ରରେ ଜଣେ ବୈଜ୍ଞାନିକ ଭାବେ କାର୍ଯ୍ୟରତ । ମହାକାଶ ବିଜ୍ଞାନ ଉପରେ ଅନେକ ଦୃଷ୍ଟାନ୍ତ ମୂଳକ ଗବେଷଣା କରି ସେ ସାରା ପୃଥିବୀରେ ପରିଚିତ । ଆଉ ପତ୍ନୀ ନିହାରୀକା ଏକ ପ୍ରତିଷ୍ଠିତ ବିଶ୍ଵବିଦ୍ୟାଳୟର ଅଧ୍ୟାପିକା । କାନାଡାର ମୋଣ୍ଟେରାଲ ସହରର ଏକ ସୁଉଚ୍ଚ ପ୍ରସାଦରେ ଅବସ୍ଥାନ କରୁଥିବା ଏହି ଉଚ୍ଚଶିକ୍ଷିତ ଆଉ ଆଭିଜାତ୍ୟ ସମ୍ପନ୍ନ ପତିପତ୍ନୀଙ୍କର କେଉଁଥିରେ ବା ଅଭାବ ଅଛି ଯେ ବିଶ୍ଵଜିତଙ୍କର ପୁଣି ଏତେ ଅସହାୟତା ! ଡ୍ରଇଙ୍ଗ ରୁମର ମାର୍ବଲ ଚଟାଣ ଉପରେ ସଂପୂର୍ଣ୍ଣ କଳେବରଟିକୁ ବିଛେଇ ଦେଇ ବିଶ୍ଵଜିତ କେଉଁ ଗବେଷଣାରେ ଆଜି ନିମଗ୍ନ ? ଜଣେ ମହାକାଶ ବିଶେଷଜ୍ଞ ଓ ଗବେଷକ ହିସାବରେ ସେ ସବୁବେଳେ ନିରବତ୍ତାକୁ ଆପଣେଇଥାନ୍ତି, ଏକଥା କାହାକୁ ଅଛପା ନଥାଏ । ଆଜି ବି ମାନେ ହେଉଛି, ତାଙ୍କର ସେଇ ଅନାବିଷ୍କୃତ ଅନ୍ୟ ଏକ ପୃଥିବୀରେ କେଉଁ ଅବା ଏକ ଏଲିଅନର ସନ୍ଧାନ ମିଳି ଯାଇଥାଇପାରେ ।

ହଠାତ ଘର ଭିତରକୁ କେହି ଜଣେ ପଶି ଆସିବାର ଶବ୍ଦକୁ ଅନୁଭୋବ କରି ନିଜକୁ ପ୍ରକୃସ୍ଥିତ କରିନେଲେ ବିଶ୍ଵଜିତ । ନିହାରୀକା କିଛି ନକହି ଚୁପଚାପ ଚାଲି ଯାଉଥିଲେ ଅନ୍ୟ ଏକ କୋଠରୀକୁ । ବିଶ୍ଵଜିତଙ୍କର କୌଣସି କଥାର ଉତ୍ତର ଦେବାକୁ ସମୟ ନଥିଲା ତାଙ୍କ ପାଖରେ । ଏଇ କେତେଦିନ ହେବ ଖୁସିର ସଂସାରଟା ବିଷ ପାଲଟି ଗଲାଣି । ନିହାରୀକା କାମର ବାହାନାରେ ଅଧିକାଂଶ ସମୟ ବାହାରେ କଟେଇ ଘରକୁ ଫେରନ୍ତି । ପୁରୁଷ ବନ୍ଧୁ ଚନ୍ଦ୍ରଭାନୁ ତାଙ୍କୁ ପ୍ରତିଦିନ ଛାଡିଦେଇ ଯାଉଛନ୍ତି । କଥା କଥାକେ ନିହାରୀକାଙ୍କ ରୁଗଣ ମାନସିକତାର ସ୍ପଷ୍ଟ ଆଭାସ ବାରି ହେଇ ପଡୁଛି ।  ଗବେଷଣା ଆରମ୍ଭ ହୋଇଗଲା ବିଶ୍ଵଜିତଙ୍କର । ଅଧୁନା ପୃଥିବୀର ପାଣିପାଗ ଖୁବ ଅସ୍ତ ବ୍ୟସ୍ତ କରିଦେଉଥିଲା ତାଙ୍କୁ । ତାଙ୍କ ଗବେଷଣାରୁ ସେ ଅନୁମାନ କରିପାରୁଥିଲେ ସଂଗଠିତ ହେବାକୁ ଯାଉଥିବା ଅବଶ୍ୟମ୍ଭାବୀ ଧ୍ଵଂସର ତାଣ୍ଡବ ଲୀଳାକୁ । ନିହାରୀକା କିନ୍ତୁ ଏଡେଇ ଚାଲିଛନ୍ତି ଏଇ ଆଶୁ ସମ୍ଭାବନାକୁ । ଉଗ୍ର ଆଧୁନିକତାବାଦ ଆଉ ଉଦ୍ଭଟ ମାନସିକାତାର ବଶବର୍ତ୍ତୀ ହୋଇ ସେ ଏକ ଅସଂଯତ ଜୀବନଶୈଳୀକୁ ଆପଣେଇ ନେଇଛନ୍ତି ଏଇ କେତେଦିନ ହେଲା ।

ଚଉଦଟି ବସନ୍ତ ତଳର କଥା॰॰ । ଏକ ଆମେରିକୀୟ ଟେଲିଭିଜନ ଚ୍ୟାନେଲ ଦ୍ଵାରା ଆୟୋଜିତ ବିଶ୍ଵଜିତଙ୍କ ଲିଖିତ ଗବେଷଣାତ୍ମକ ସନ୍ଦର୍ଭ  “ଅନ୍ୟ ଏକ ପୃଥିବୀର ସନ୍ଧାନ” କୁ ନେଇ ପ୍ରସ୍ତୁତ ପ୍ରାମାଣିକ ଚିତ୍ରର ପ୍ରଦର୍ଶନ ପରେ ଦେଶ ବିଦେଶରୁ ଛୁଟି ଆସିଥିଲା ଅନେକ ସମ୍ମାନ ଓ ବଧେଇ ସନ୍ଦେଶ । ଜଣେ ଦକ୍ଷ ମହାକାଶ ବିଶେଷଜ୍ଞ ଓ ଗବେଷକ ହିସାବରେ ସେ ଖୁବ ଚର୍ଚ୍ଚାକୁ ଆସିଯାଇଥିଲେ । ତାଙ୍କ ପାଇଁ ସବୁଠୁ ସ୍ଵତନ୍ତ୍ର ଥିଲା, ମୋଣ୍ଟେରାଲର ରୟାଲ ଭିକ୍ଟୋରିଆ କଲେଜରୁ ଟେଲିଗ୍ରାମ ଯୋଗେ ଆସିଥିବା ସନ୍ଦେଶଟି॰॰  ତଳେ କେବଳ ଲେଖାଥିଲା, “ଅନ୍ୟ ଏକ ପୃଥିବୀରୁ ମୁଁ ନିହାରୀକା” । ଅନ୍ୟ ଏକ ପୃଥିବୀର କିଏ ଏଇ ନିହାରୀକା ? ଏମିତି ଅନେକ ପ୍ରଶ୍ନ ! ସତେ ବା କେଉଁ ଏଲିଅନର ସନ୍ଧାନ ମିଳିଛି ତାଙ୍କୁ । ଚିଠିଟିରେ ସୂଚନା ଦିଆଯାଇଥିବା ସ୍ଥାନ ଅନୁସାରେ, ନିହାରୀକାଙ୍କ ସହିତ ତାଙ୍କର ଦେଖାହୁଏ ରୟାଲ ଭିକ୍ଟୋରିଆ କଲେଜର ବୀସ୍ତିର୍ଣ୍ଣ ବଗିଚାର ସବୁଜ ଚଟାଣ ଉପରେ । ଅନେକ ସମୟ ଧରି ବିଜ୍ଞାନ ଓ ଗବେଷଣାତ୍ମକ ଆଲୋଚନା ପର୍ଯ୍ୟାଲୋଚନା ଚାଲେ ସେଠାରେ । ପୁଣି ବିଶ୍ଳେଷଣ ପରେ ପ୍ରମାଣିତ ହୁଏ ଆଉ ଠାବ ହୁଏ ଅନ୍ୟ ଏକ ପୃଥିବୀର ସେଇ ମନଲୋଭା ଏଲିଅନ॰॰ । ସତରେ ଏଲିଅନ ମାନେ ଏତେ ସୁନ୍ଦର ହେଇ ପାରନ୍ତି ! ଏକ କୋମଳ ରୋମାଣ୍ଟିକ ଭାବରାଜ୍ୟର ସମ୍ମୋହନ !! ମନେହୁଏ  ଗୋଟିଏ ମହାକାଶ॰॰ ଗୋଟିଏ ପୃଥିବୀ॰॰ । ଆମ ପୃଥିବୀର ମଣିଷ ମାନଙ୍କୁ ଏତେ ଭଲ ପାଇପାରନ୍ତି ସେମାନେ !

ପ୍ରେମ ଜାଲରେ ବାନ୍ଧି ହୋଇ ଯାଆନ୍ତି ବିଶ୍ଵଜିତ ରୟାଲ ଭିକ୍ଟୋରିଆ କଲେଜର ରସାୟନ ବିଜ୍ଞାନ ଅଧ୍ୟାପିକା ନିହାରୀକାଙ୍କ ସହିତ । ପିତା ମାତାଙ୍କର ସମ୍ମତ୍ତି ନେଇ ପରସ୍ପର କ୍ରମେ ଆବଦ୍ଧ ହୋଇ ଯାଆନ୍ତି ବିବାହ ବନ୍ଧନରେ । ଅନ୍ୟ ଏକ ପୃଥିବୀର ଏଲିଅନ ସାଜି ନିହାରୀକା ଖୁବ ଉପଭୋଗ କରନ୍ତି ଏ ପୃଥିବୀକୁ । ହଜି ଯାଆନ୍ତି ଏଇ ପୃଥିବୀର ମାଟି ପାଣି ପବନରେ । ଦିନ ପରେ ଦିନ ଗଡି ଚାଲେ॰॰ ହଠାତ ଋତୁ ଚକ୍ରର ପରିବର୍ତ୍ତନ ଘଟେ ପୃଥିବୀରେ । ଧୀରେ ଧୀରେ ଥମିଯାଏ ବସନ୍ତର ମୃଦୁ ମଳୟ, ଜ୍ୟୋସ୍ନା ବିଧୌତ ରଜନୀର ଶୀତଳତା ଆଉ ସୁବାସିତ ମଲ୍ଲୀର ସବୁଜ ମହକ ପୁଣି ଅବା କୋଇଲିର ସେ ପଞ୍ଚମ କୁହୁତାନ॰॰ । ନିହାରୀକାଙ୍କୁ ଆଉ ଭଲ ଲାଗେନି ଏଇ ପୃଥିବୀ । ଏଠି ତାଙ୍କ ପାଇଁ ବଞ୍ଚିବାର ଆଉ ସୁସ୍ଥ ବାତାବରଣ ନାହିଁ । ଆଜି ନିହାରୀକା ତାଙ୍କ ପୃଥିବୀର ମଣିଷ ମାନଙ୍କୁ ଡାକିଛନ୍ତି॰॰ କେତେବେଳୁ ଆସି ସେମାନେ ବାହାରେ ଅପେକ୍ଷା କରିଛନ୍ତି ଆଉ ସେମାନଙ୍କ ହାତଧରି ନିହାରୀକା ଆଜି ଚାଲିଯିବେ ତାଙ୍କ ନିଜ ପୃଥିବୀକୁ । ଆଉ ଏଇଠି ଅବସାନ ଘଟିବ ବିଶ୍ଵଜିତଙ୍କ ଏଲିଅନ ରିସର୍ଚ୍ଚ ।

Readers Count

ହୃଦୟର କବିତା

କଥା ଓ କାହାଣୀ

ଭ୍ରମଣ ଓ ଅନୁଭୂତି