Header Ads

Wednesday, January 24, 2018

ଚିଲିକାରାଣୀର କନିଆଁ

ଗାଆଁ ଟି ମୋହର ସବୁଜ ସୁନ୍ଦର
ଅଟଇ ସରଗ ତୁଲ
ବିହଙ୍ଗ ଭୂସ୍ଵର୍ଗ ନାମେ ଅଭିହିତ
ବିଶ୍ଵରେ ଅମୂଲ ମୂଲ ॥୧॥

ସାଜିଛି କନିଆଁ ଚିଲିକାରାଣୀର
ଅଲିଅଳି ରାଜଜେମା
ବନ୍ଦନା କରନ୍ତି ନା ନା ଜାତି ପକ୍ଷୀ
ମନାସି ଶୁଭ କାମନା ॥୨॥

ଦେବଦେବୀ ଏଠି ହୋଇଛନ୍ତି ରୁଣ୍ଡ
ଲଭି ତା' ଶାନ୍ତିର କୋଳ
ମଙ୍ଗଳା ମାଆଙ୍କ ଛତ୍ରଛାୟା ତଳେ
ଶୁଭୁଥାଏ କୋଳାହଳ ॥୩॥

ପତିତପାବନ ନୀଳକଣ୍ଠେଶ୍ଵର
ଗୁପ୍ତେଶ୍ଵର ରଘୁନାଥ
କନିଆଁ ମନର କଥାକୁ ବୁଝନ୍ତି
ସତେ କି ଦୁହିତା ତାଙ୍କ ॥୪॥

ପାର୍ବଣ ଭୋଜିରେ ମାଆ ରାଉଳାଣୀ
ପରଷନ୍ତି ନା ନା ବ୍ୟଞ୍ଜନ
ମାଆ ବଳିମାଝୀ ଦ୍ଵାରେ ଜଗିଥାନ୍ତି
ବିପଦ କରି ଭଞ୍ଜନ ॥୫॥

କନିଆଁ ପାଳିଛି ରଜର ପରବ
ନାଚ ଗୀତେ ତା'ର ମନ 
ଆୟୋଜନ କରେ ମା ମଝିଆଣୀ
ବାଦୀପାଲାର ସେ ଦିନ ॥୬॥

ରାମଲୀଳା ପୁଣି ଦଣ୍ଡଯାତରାକୁ
ଅଡିବସେ ଯିବ ଦେଖି
ଚିଲିକାରାଣୀର କନିଆଁ ସେ ଅଟେ
ଚୁଲୁବୁଲି ନିରିମାଖି ॥୭॥

ମୋ ଗାଁ ଆଜି ସାଜିଛି କନିଆଁ
ନାଁ ଟି ମଙ୍ଗଳାଯୋଡି
ପ୍ରକୃତିର କୋଳେ ନିରିମାଖି କଇଁ 
ଯାଇଛି ଚହଳ ପଡି ॥୮॥

Readers Count

ହୃଦୟର କବିତା

କଥା ଓ କାହାଣୀ

ଭ୍ରମଣ ଓ ଅନୁଭୂତି