Header Ads

Tuesday, May 8, 2018

କବିତ୍ଵର ପ୍ରଣୟ

ରାତ୍ରିର ନିଃଶବ୍ଦ ପ୍ରହରରେ
ସମଗ୍ର ପୃଥିବୀଟା ଶୋଇଗଲା ପରେ 
ଦେଖାଦିଅ ତୁମେ ମୋ ମାନସପଟ୍ଟରେ
ଧରାଦିଅ ମୋ ହୃଦୟର ପ୍ରତିଟି ସ୍ପନ୍ଦନରେ
ସହଜରେ ଆଙ୍କି ହୋଇଯାଅ ମୋ କଲମ ମୂନରେ
କାହିଁକି ତୁମେ ଏତେ ଭଲପାଅ
ମୋ’ର ଏକାନ୍ତ ଉପସ୍ଥିତିକୁ,
ନିବୁଜ କୋଠରୀର ନିଃଶବ୍ଦ ପରିଧିକୁ...
ଢାଳି ଦେଇଥାଅ ଅବାରିତ ସ୍ନେହର ବାରିକୁ
ଆପ୍ୟାୟିତ କର ପୁଣି ଶବ୍ଦର ସଂଭାରରେ
ବନ୍ଧା ପଡିଯାଏ ମୋ କବିତ୍ଵର ପ୍ରଣୟ
ତୁମ ଚିରନ୍ତନୀ ପ୍ରେମର ଫାଶରେ ॥

କିନ୍ତୁ, କାହିଁକି କେଜାଣି !!
ବେଳେ ବେଳେ ତୁମେ ଧୋକା ଦିଅ ମତେ
ଛାଡି ଚାଲିଯାଅ ପୁଣି ତୁମ ଇଚ୍ଛା ହେଲେ
ବିଚରଣ କରୁଥାଅ କେଉଁ ଅଜ୍ଞାତ ଇଲାକାରେ...
ଅନେକ ଖୋଜି ଖୋଜି ଥକି ଗଲାପରେ,
କେବେବି ଧରା ଦିଅନା ମୋ ବାହୁବନ୍ଧନରେ
ବ୍ୟାକୁଳିତ କରିଥାଏ ମତେ ତୁମ ନିର୍ଜନତା... ॥

ତଥାପି ତୁମେ ଭାରି ସୁନ୍ଦର, ନିରିମାଖୀ, ହୃଦୟର ରାଣୀ,
ପୁଣି ଅବଳା କନିଆଁଟିଏ ମୋ ମନ ଆଇନାରେ
ସତରେ ତୁମେ ମୋ କବିତା, ମୋ ହୃଦୟର ଭାଷା
ଭଲପାଏ ତୁମକୁ ମୁଁ ଅନ୍ତରୁ ଅଧିକ,
ଚାହିଁ ରହିଛି କେବଳ ତୁମ ଆସିବା ବାଟକୁ
ରୂପସୀ ଜହ୍ନଟା ବି ମୋ ସାଥେ ଅପେକ୍ଷିତ
ମୋ ହୃଦୟର ନିଖୋଜ ଇଲାକାରେ
ଅପେକ୍ଷା କରିଛି ମୁଁ ଗୁନ୍ଥିବାକୁ ଶବ୍ଦର ମାଳାଟିଏ
ମୋ ପୁରୁଣା କଲମର କାଳିରେ..
ପୁଣି, ସଜେଇ ରଖିଛି ଶ୍ଵେତପତ୍ରର ଚଟାଣକୁ
ଯେଉଁଠି ସମ୍ପର୍ଣ୍ଣ ହେବ ତୁମ ନିବିଡତାର ଆଲିଙ୍ଗନ ॥

Readers Count

ହୃଦୟର କବିତା

କଥା ଓ କାହାଣୀ

ଭ୍ରମଣ ଓ ଅନୁଭୂତି