ସେଦିନର ସେଇ ବିଶେଷ ମୂହୁର୍ତ୍ତ

ଶିବୁ ଆଜି ୧୩ ବର୍ଷରେ ପଦାର୍ପଣ କଲାଣି । ଭାରି ଉଦାରିଆ, ଶାନ୍ତ ଆଉ ସରଳ ପିଲାଟିଏ । ତାର ପ୍ରତିଟି କାମ ଭାରି ଗଠନ ମୂଳକ । ତା କଥା ବେଳେ ବେଳେ ଭାବିଲେ ମତେ ଭାରି ଆଶ୍ଚର୍ଯ୍ୟ ଲାଗେ । କେଡେ ନିର୍ଦ୍ଦୟ ତାର ବାପା ମାଆ ! ଏହି ନିଷ୍ପାପ ଶିଶୁଟି କି ଦୋଷ କରିଥିଲା ସେମାନଙ୍କର ? କେମିତି ସେ ନିର୍ଦ୍ଦୟ ବାପା’ର ମନ ମାନିଲା ଯେ, ସାତ କି ଆଠ ମାସର କଅଁଳା ଶିଶୁପୁତ୍ରଟିକୁ ଧରେଇ ଦେଇ ଟ୍ରେନ ଟିକେଟ କାଟିବାକୁ ଯାଇଛି ଯେ ଯାଇଛି । ଭାବିଲେ ଛାତି ଭିତରଟା କଣ ହେଇଯାଏ । ସେଦିନର ସନ୍ଧ୍ୟା… ଭୁବନେଶ୍ଵର ରେଳ ଷ୍ଟେସନ ଟ୍ରେନ ଆସିବାକୁ ଆଉ ଅଳ୍ପ ସମୟ ବାକିଥାଏ । ଫେରିବା ପାଇଁ ଅପେକ୍ଷା କରିଥାଉ ମୁଁ ଆଉ ମୋର ଜଣେ ବନ୍ଧୁ ।
-ବାବୁ ! “ଟିକେ ଏଇ ଛୁଆଟିକୁ ଧରିଥିବେ, ମୁଁ ଏଇ ଆରପଟରୁ ଟିକେଟଟିଏ ନେଇକି ଆସିବି… ଭାରି ଭିଡ ହେଇଛି ।“ ଅପରିଚିତ ଲୋକଟିର ଏଭଳି ଆକସ୍ମିକ ଅନୁରୋଧରୁ ଖୁବ ସହଜରେ ବାରି ହୋଇଯାଉଥିଲା ତାର ସରଳତା ଆଉ ଅସହାୟତା । କାଳ ବିଳମ୍ବ ନକରି ମୋର ବନ୍ଧୁ ଜଣଙ୍କ ପିଲାଟିକୁ କୋଳେଇ ଆଣିଲେ । ଲୋକଟି କଅଁଳା ଶିଶୁଟିକୁ ଧରେଇ ଦେଇ ତତକ୍ଷଣାତ ଚାଲିଗଲା ତାର ଟ୍ରେନ ଟିକେଟ ଆଣିବାକୁ । ସେତେବେଳକୁ ସନ୍ଧ୍ୟା ସାତଟା ବାଜି ସାରିଥାଏ ଆଉ ଆମ ଟ୍ରେନ ଆସିବାକୁ ମାତ୍ର କୋଡିଏ ମିନିଟ ବାକିଥାଏ । କିନ୍ତୁ କୋଡିଏ ମିନିଟ ଭିତରେ ଆଉ ଲୋକଟି ଫେରି ନଥିଲା ଆମ ପାଖକୁ । ବହୁତ ଖୋଜା ଖୋଜି କଲୁ ହେଲେ ସେ ଅପରିଚିତ ଲୋକଟିର କିଛି ବି ଖୋଜ ଖବର ପାଇବା ଆଉ ସମ୍ଭବ ହେଲାନି । ଏହା ଭିତରେ ଆମ ଟ୍ରେନ ଆମକୁ ଛାଡି ଚାଲିଯାଇଥାଏ । ଶେଷରେ ପୋଲିସ ଷ୍ଟେସନ ଯାଇ ଘଟଣା ସବୁ ଜଣାଇଲୁ । ପିଲାଟିକୁ ଅନାଥଆଶ୍ରମକୁ ପଠାଇବା ନିମନ୍ତେ ପୋଲିସ ଭାଇ ମାନଙ୍କର ବ୍ୟବସ୍ଥା ଯୋଗାଯୋଗ ଆରମ୍ଭ ହେଲା ।
ଆଶ୍ଚର୍ଯ୍ୟର କଥା ହଠାତ ମୋ ବନ୍ଧୁଙ୍କ ଆଖି ଦୁଇଟି ସେତେବେଳକୁ ଲୁହରେ ଓଦା ହୋଇଯାଇଥାଏ । ପିଲାଟିକୁ ନିଜ ସହିତ ନିଜ ଘରକୁ ଆଣିବାପାଇଁ ଅଡି ବସିଲେ । କାହାକୁବି ଅଛପା ରହିଲାନି ମୋ ବନ୍ଧୁଙ୍କ ହୃଦୟର ଅମଳିନ ପିତୃତ୍ଵକୁ ଉପଲବ୍ଧି କରିବାରେ । କିଛି ଆନୁସଙ୍ଗିକ କାଗଜପତ୍ର ପ୍ରସ୍ତୁତ କରାଯିବାପରେ ସେହି କୋମଳ ଶୁଶୁଟିକୁ ମୋ ବନ୍ଧୁଙ୍କୁ ହସ୍ତାନ୍ତର କରାଗଲା ଆଉ ସେହି ଦିନଟିକୁ ଶିଶୁଟିର ଜନ୍ମ ତାରିଖ ଭାବେ ଗଣା ଗଲା । ଆଜି ସେ ୧୩ ବର୍ଷ ବଯସର ଶିବୁ… ମୋ ବନ୍ଧୁ ଦମ୍ପତ୍ତିଙ୍କର ଅତି ଗେଲବସରିଆ ପୁଅ । ଯେତେବେଳେ ମୁଁ ମୋ ବନ୍ଧୁଙ୍କ ଘରକୁ ଯାଏ, ଛୁଆଟିର ଅଙ୍କଲ ଡାକରେ ମନେପଡିଯାଏ ସେଦିନର ସେଇ ବିଶେଷ ମୂହୁର୍ତ୍ତ ।
(ସତ୍ୟ ଅନୁଭୂତିର ଏକ ବାସ୍ତବ ପରିପ୍ରକାଶ ଏହି ଅଣୁଗଳ୍ପରେ.. ଏକ ବିଶେଷ ମୂହୁର୍ତ୍ତ, ଯାହାକି ଗୋପନୀୟ)

Post a Comment

0 Comments