ବର୍ଣ୍ଣମାଳାରେ ଶ୍ରୀଜଗନ୍ନାଥ


ନିଜେ ଜଣେ ସାହିତ୍ୟିକ ନହେଲେବି ଯଦି କୌଣସି ସାହିତ୍ୟ ଆସରରେ ଯୋଗଦେବାର ସୁଯୋଗ ମିଳେ ମୁଁ ସେ ସୁଯୋଗକୁ ହାତଛଡା କରେନାହିଁ । ଏହାକୁ ମୋର ଏକ ଜନ୍ମଗତ ଦୁର୍ବଳତା ବୋଲି ଆପଣ ଭାବି ନେଇପାରନ୍ତି । ଯେତେବେଳେ ମୁଁ ଛାତ୍ର ଥିଲି ଅନେକ ଲେଖାଲେଖି କରୁଥିଲି । କିନ୍ତୁ ଭାଗ୍ୟର ବିଡମ୍ବନା ! ଚଳଚଞ୍ଚଳ ଜଞ୍ଜାଳମୟ ପୃଥିବୀରେ ପାଦଦେଲା ପରେ ମୋର ସ୍ଵତନ୍ତ୍ର ସୃଷ୍ଟିର ପୃଥିବୀଟା ଧୀରେ ଧୀରେ ସୁପ୍ତ ପାଲଟିଗଲା ମୋ ପାଇଁ । ଲେଖା ଲେଖି ବନ୍ଦ ହେଇଗଲା । କିନ୍ତୁ ସାହିତ୍ୟକୁ ଭଲ ପାଇବା କେବେବି ମରିଲାନି ।  ଯଦି କେବେ କେଉଁ ସାହିତ୍ୟ ଆସରର ନିମନ୍ତ୍ରଣ ପାଏ ମୁଁ ବିନା କୌଣସି ଦ୍ଵିଧାରେ ଯୋଗଦାନ କରିଥାଏ । ସେଦିନ ଥାଏ ସେପ୍ଟେମ୍ବର ମାସ ୨୭ ତାରିଖ । ଜଟଣୀର ପ୍ରାଣନାଥ ଫାଉଣ୍ଡେସନ କାର୍ଯ୍ୟାଳୟ ତରଫରୁ ନିମନ୍ତ୍ରଣଟିଏ ପାଇ ସନ୍ଧ୍ୟାରେ ଜଗନ୍ନାଥ ସଂସ୍କୃତି ଉପରେ ଏକ ପୁସ୍ତକ ଉନ୍ମୋଚନ କର୍ଯ୍ୟକ୍ରମରେ ଯୋଗଦେଲି । ପୁସ୍ତକଟିର ନାଁ ଥିଲା “ବର୍ଣ୍ଣମାଳାରେ ଶ୍ରୀଜଗନ୍ନାଥ” ଲେଖକ ଥିଲେ ବିଶିଷ୍ଟ ଆଧ୍ୟାତ୍ମିକ ସାହିତ୍ୟିକ ଇଂ ଦୀପ୍ତି ରଞ୍ଜନ ପଣ୍ଡା । ପୁସ୍ତକଟିର ସ୍ଵାଦ ଖୁବ ଭିନ୍ନ ଥିଲା । ଓଡିଆ ଭାଷା ସାହିତ୍ୟର ଆଦ୍ୟ ବର୍ଣ୍ଣ “ଅ” ରୁ ଆରମ୍ଭ ହୋଇ ପ୍ରାନ୍ତ ବର୍ଣ୍ଣ “କ୍ଷ” ରେ ସମାପ୍ତ ହୋଇଥିଲା ପୁସ୍ତକଟି । ନାମକରଣ ଯଥାର୍ଥ ଥିଲା । ଓଡିଶାର ବିଶିଷ୍ଟ ଭାଷା ସାହିତ୍ୟିକ ପ୍ରଫେସର ପ୍ରଫୁଲ୍ଲ କୁମାର ପାଇକରାୟ ପୁସ୍ତକଟିକୁ ଉନ୍ମୋଚନ କରିବା ସହିତ ତାଙ୍କ ବଳିଷ୍ଠ ସାହିତ୍ୟ ଚର୍ଚ୍ଚାରେ ସନ୍ଧ୍ୟା ଆସରଟି ଖୁବ ମନମୁଗ୍ଧକର ହୋଇଉଠୁଥିଲା । ସେ ପରିବେଶ ଛାଡିବାକୁ ମନ ମାନୁ ନଥିଲା । “ବର୍ଣ୍ଣମାଳାରେ ଶ୍ରୀଜଗନ୍ନାଥ” ପୁସ୍ତକଟି ଜଗନ୍ନାଥ ତତ୍ଵ ଆଉ ତଥ୍ୟ ସମ୍ବଳିତ । ସଂପୂର୍ଣ୍ଣ ବର୍ଣ୍ଣମାଳା ଭିତରେ ଜଗନ୍ନାଥ ସଂସ୍କୃତିର ପୂର୍ଣ୍ଣ ପରିଚୟ ସୃଷ୍ଟି କରିବା ନିଶ୍ଚୟ ଏକ ଦୁରୂହ ବ୍ୟାପାର । ଜୟ ଜଗନ୍ନାଥ ।

Share: