ଭିନ୍ନ ଏକ ଜୀବନ

ଆସନ୍ନ ସନ୍ଧ୍ୟା ସ୍ଵାଗତ କରୁଥାଏ
ଘମାଘୋଟ ରାତ୍ରୀର ଅନ୍ଧକାରକୁ…
ସ୍ତବ୍ଧ ହୋଇଯାଏ
ପକ୍ଷୀ ମାନଙ୍କର କଳରବ,
ରିମଝିମ ନକ୍ଷତ୍ର ଗୁଡିକର
ମିଟିମିଟି ଆକ୍ଷିଠାର… ।
ପୁଣି ଫେରି ଆସୁଥାଏ
ପେଟ ଚାଖଣ୍ଡକ ପାଇଁ
ସୁନା ଫସଲର ଲାଳସାରେ
ଲହୁ ଲୁହର ଅକ୍ଲାନ୍ତ ଶ୍ରମଦାନ କରି
ଅନ୍ଧାରି ମୂଳକର ବାସିନ୍ଦାଟି…
ପ୍ରତିଧ୍ଵନିତ୍ଵ ହେଉଥାଏ
କର୍ଣ୍ଣ ଗହ୍ଵରରେ ତା’ର
ଲୁମ୍ବିନୀ ଆମ୍ର କୁଞ୍ଜନର ବୁଦ୍ଧବାଣୀ –
“ବୁଦ୍ଧମ ଶରଣମ ଗଚ୍ଛାମି… ସଙ୍ଘମ ଶରଣମ ଗଚ୍ଛାମି…”
ପୁଣି ଆକର୍ଷିତ କରୁଥାଏ
ଭାଗବତ ଟୁଙ୍ଗୀର ନବାକ୍ଷରୀ ଛନ୍ଦ…
ଉଜ୍ଜୀବିତ କରୁଥାଏ ପୁଣି
ହୃଦୟର ଭକ୍ତି ଭାବ ଧାରାକୁ
ମନ୍ଦିର ବେଢାରୁ ଭାସି ଆସୁଥିବା
ଘଣ୍ଟ-ମର୍ଦ୍ଦଳର ଗୁରୁ ଗମ୍ଭୀର ସ୍ଵର ।
ଅବୁଝା ପାଲଟି ଯାଏ ତା’ପାଇଁ
ବହୁତଳ ଶୀତତାପ ନିୟନ୍ତ୍ରିତ
ପ୍ରାସାଦର କଥା ଅବା, ସ୍ପର୍ଶ କରି ପାରେନା
ସର୍କାରୀ କାଗଜ ଫର୍ଦ୍ଦରେ
ସୁ-ଅଙ୍କିତ ବ୍ୟବସ୍ଥାର କାହାଣୀ ମାନ…
ତା’ର ମାଟି ଚାଳଘରର ତେଲଲୁଣ ସଂସାରରୁ
ବେଳେ ବେଳେ ଭାସି ଆସୁଥିବା
କଅଁଳା ଶିଶୁଟିର ବିକଳ ଓ କରୁଣ କ୍ରନ୍ଦନ ସ୍ଵର…
ପଢି ହୋଇଯାଉଥାଏ
ତା’ର ନିଷ୍ପାପ ଭୋକିଲା ପେଟର ଭାଷାକୁ
କେବଳ ଆଶ୍ଵାସନାର ଡିବିରି ଆଲୁଅରେ
କାନ୍ଦୁରୀ ବୁଢୀକୁ ଖୋଜୁଥାଏ
ଚମ ଧୁଡୁ ଧୁଡୁ ବୁଢୀ ମାଆ ତା’ର ।

Share: