ଜଗନ୍ନାଥ ସଂସ୍କୃତି ଇତିହାସରେ ଏକ ବିରଳ ଘଟଣା


ନଈରୀ ଗ୍ରାମଟି ମରାଳ-ମାଳିନୀ-ନୀଳାମ୍ବୁ ଚିଲିକାର ତଟ ଦେଶରେ ଖୋରଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକ ଅଧୀନରେ ଅବସ୍ଥିତ । ପୁର୍ବତଟ ରେଳପଥ ଅଧୀନସ୍ଥ ଗଙ୍ଗାଧରପୁର ରେଳ ଷ୍ଟେସନ ଠାରୁ ୨ କି.ମି. ଏବଂ ୫ ନମ୍ବର ଜାତୀୟ ରାଜପଥରେ ନାଚୁଣୀ ଠାରୁ ୪ କି.ମି. ଦୂରରେ ଏହି ଗ୍ରାମଟି ପଡିଥାଏ । ଇତିହାସର ମୂକ ସାକ୍ଷୀ ଭାବେ ଦଣ୍ତାୟମାନ ଏହି ଗ୍ରାମଟି ହରି ଆଉ ହରଙ୍କ ଉପାସନାର ପୀଠ ଅଟେ । ଜଗନ୍ନାଥ ସଂସ୍କୃତି ସହ ନଈରୀ ଗ୍ରାମ ଏବଂ ଏହା ସନ୍ନିକଟ କାଙ୍କଣକୁଦର ସମ୍ପର୍କ ଦୀର୍ଘ ୨୫୦ ବର୍ଷ ତଳର । ସପ୍ତଦଶ ଶତାବ୍ଦୀରେ ଯବନ ମାନଙ୍କ ଆକ୍ରମଣ ସମୟରେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହକୁ ଏହି ନଈରୀ ଗ୍ରାମକୁ ସ୍ଥାନାନ୍ତର କରାଯାଇ ଏଠାରେ ଶ୍ରୀ ଜିଉ ମାନଙ୍କର ସମସ୍ତ ପୂଜାନୀତି ପ୍ରତିପାଦିତ ହୋଇଥଲା । ଏହି ଗ୍ରାମର ହରେଶ୍ୱର ମହାଦେବ ମନ୍ଦିରରେ ଶ୍ରୀ ଜଗନ୍ନଥ ମହାପ୍ରଭୁ ଦୁଇଥର ଅବସ୍ଥାନ କରିଥିଲେ । ହରି ଏବଂ ହରଙ୍କ ଅପୁର୍ବ ମିଳନର ମୁକ ସାକ୍ଷୀ ହେଉଛି ନଈରୀ ଗ୍ରାମର ଏହି ହରେଶ୍ୱର ଶିବ ମନ୍ଦିର । ପ୍ରଭୁ ଏଠାରେ ବିଜେ ସମୟରେ ତାଙ୍କର ରଥ ଯାତ୍ରା ମଧ୍ୟ ଏଠାରେ ତିନି ଗୋଟି ଶଗଡ ସାହାଯ୍ୟରେ ଅନୁଷ୍ଠିତ ହୋଇଥିଲା । ଏଠାରେ ପୁରୀ ଭଳି ଦୋଳମଣ୍ଡପ ସାହି, ଶ୍ରୀ ବଲ୍ଲଭ ମଠ ଓ ଗୁଣ୍ଡିଚା ମନ୍ଦିର ଆଦି ରହିଅଛି । ଏହି ଗ୍ରାମ ସନ୍ନିକଟ ଚିଲିକା ମଧ୍ୟସ୍ଥ କାଙ୍କଣକୁଦ ଦ୍ୱୀପରେ ଜଗନ୍ନାଥ ମହାପ୍ରଭୁ କିଛି ଦିନ ଗୋପନରେ ରହି ପୂଜା ପାଇଥିଲେ ଏବଂ ଏହି କୁଦରେ ଫଳୁଥିବା ପ୍ରଚୁର କାଙ୍କଣକୁ ରୋଷେଇ କରି ଶ୍ରୀ ଜଗନ୍ନାଥଙ୍କ ମଣୋହି ଲାଗି କରାଯାଇଥିଲା । 
Share: