ଏଇଯେ ଦିଶୁଛି ଲାଲମାଟିର ଖୋରଧା ଗଡ

ଏଇଯେ ଦିଶୁଛି ଲାଲ୍ ମାଟିର ଖୋରଧା ଗଡ.. କୃଷକ ବାପୁଡା ହଳ କରିଗଲେ, କହେ ଏଠି ଥିଲା ନଅର ବଡ..

ପଣ୍ଡିତ ଗୋଦାବରୀଶ ମିଶ୍ରଂକ ଏହି କବିତାଟିକୁ ପାଠ କଲାବେଳେ ରୋମାଂଚିତ ହୋଇ ଉଠେ ସମଗ୍ର ଶରୀରଟା । ଭାରତର ଶେଷ ସ୍ବାଧୀନ ଦୁର୍ଗ ଭାବେ ପରିଚିତ ଏହି ଖୋରଧା ଗଡର ଇତିହାସ ଏକ ବିରଳ ଅତୀତର ମୁକସାଖୀ ଭାବେ ବରୁଣେଇ ପାହାଡର ପାଦଦେଶରେ ଦଣ୍ଡାୟମାନ । ଭାରତର ପ୍ରଥମ ସ୍ବାଧିନତା ସଂଗ୍ରାମ ୧୮୫୭ ମସିହାରେ ଆରମ୍ଭ ହେବାର ୪୦ ବର୍ଷ ପୁର୍ବରୁ ଏହି ସଂଗ୍ରାମର ସୁତ୍ରପାତ ଘଟିଥିଲା ଏହି ଲାଲମାଟିର ଖୋରଧା ଗଡରୁ । ଓଡିଆ ପାଇକ ପୁଅର ରଣହୁଁକାରରେ ଥରି ଉଠିଥିଲା ସାରା ଭାରତବର୍ଷ ଆଉ ଭୟଭୀତ ହୋଇ ଉଠିଥିଲା ବ୍ରିଟିଶ୍ ସାମ୍ରାଜ୍ୟବାଦ । ଆଜି ଏହି ପରିତ୍ୟକ୍ତ ଗଡର ମାଟିରେ ପାଦ ଥାପିଲେ ହୃଦୟଟା ପ୍ରକମ୍ପିତ ହୋଇଉଠେ, କର୍ଣ୍ଣଗହ୍ବରରେ ପ୍ରତିଧ୍ବନିତ୍ବ ହୁଏ ଅତୀତର ସେଇ ବୀରବାଦ୍ୟ ଆଉ ଓଡିଆ ପାଇକ ପୁଅର ସେଇ ବୀରତ୍ବର କାହାଣୀ । ଆଜି ଆଉ ଶୁଭୁନି ଅତୀତର ସେହି ବୀର ବାଦ୍ୟ.. ଭଗ୍ନ ଦୁର୍ଗର କବର ତଳେ ଚାପି ହୋଇ ରହି ଯାଇଛି ଅତୀତ ଉତ୍କଳର ସେହି ଗାରିମାମୟ ଇତିହାସ ।

ଓଡିଶାର ପୁରୁଣା ରାଜଧାନୀ ରୂପେ ପରିଚିତ ଖୋରଧା ଗଡ ୧୮୦୪ ମସିହା ଡିସେମ୍ବର ମାସ ୪ ତାରିଖରେ ଇଂରେଜ ମାନକ କବଳିତ ହେଲା । ଖୋରଧା ଅଧିକାର କରିବାକୁ ଆସି ଇଂରେଜ ମାନେ ମୁକୁନ୍ଦପ୍ରସାଦ ଠାରେ ସେନା ଛାଉଣୀ ପକାଇଲେ । ଏବଂ ଆଖପାଖର ରାଜା ମାନଙ୍କୁ ସତର୍କ କରାଇ ଦେଲେ ଖୋରଧା ଗଡର ରାଜାଙ୍କୁ କୌଣସି ପ୍ରକାର ସାହାଯ୍ୟ ନକରିବା ପାଇଁ । ଖୋରଧାର ବୀର ପାଇକ ପୁଅ ମାନେ ପଛଘୁଞ୍ଚା ନଦେଇ ଇଂରେଜ ମାନଙ୍କ ସହିତ ପ୍ରାଣ ବିନିମୟରେ ଲଢେଇ କଲେ । ଇଂରେଜ ମାନଙ୍କ ତୋପ ଆଉ କମାଣ ଆଗରେ ହାର ନମାନି ପାଇକ ମାନେ ସେଦିନ ଦେଶ ପାଇ ନିଜର ପ୍ରାଣବଳୀ ଦେଲେ । ଏହି ସୁଯୋଗରେ ଇଂରେଜ ମାନେ ଖୋରଧା ଗଡକୁ ଅଧିକାର କରି ନେଇଥିଲେ । ଖୋରଧା ଗଡର ତତ୍କାଳୀନ ରାଜା ଦ୍ୱିତୀୟ ମୁକୁନ୍ଦଦେବଙ୍କୁ ଗାଦିଚ୍ୟୁତ କରି ତାଙ୍କୁ ବିଦ୍ରୋହୀ ବୋଲି ଘୋଷଣା କଲେ । ଖୋରଧା ଗଡର ରାଜା ବାଣପୁର ଜଙ୍ଗଲ ଅତିକ୍ରମ କରି ଘୁମୁସର ରାଜ୍ୟକୁ ଚାଲିଗଲେ ଆଶ୍ରୟ ନେବା ପାଇଁ । ପାଇକ ମାନେ କିନ୍ତୁ ପ୍ରତି ମୁହୁର୍ତ୍ତରେ ଇଂରେଜ ସରକାରର ପ୍ରତିରୋଧ କରୁଥିଲେ । ସବୁବେଳେ ଖୋରଧା ଅଞ୍ଚଳରେ ବିଦ୍ରୋହ ଲାଗି ରହୁଥିଲା । ଶେଷରେ ଇଂରେଜ ମାନେ ଖୋରଧାକୁ ନିଜ ଅକ୍ତିଆରକୁ ଆଣି ସିଧାସଳଖ ଶାସନ କଲେ । ଇଂରେଜ ସରକାର ତରଫରୁ ମେଜର ଫ୍ଲେଚରଙ୍କୁ ଖୋରଧାର ଶାସନ ଭାର ଦିଆଗଲା । ଖୋରଧାର ପ୍ରଥମ କଚେରୀ ଘର ମେଜର ଫ୍ଲେଚରଙ୍କ ଦ୍ୱାରା ନିର୍ମିତ୍ତ ହୋଇଥିଲା । ସେ ୧୮୦୪ ମସିହାରେ ବନ୍ଦୋବସ୍ତ ଆଇନ ଅନୂସାରେ ସମସ୍ତ ଜମିବାଡି ଉପରେ ଖଜଣା ବସାଇଲେ ଓ ଜାଗିରି ପ୍ରଥାର ଉଛେଦ କଲେ । କଠୋର ଉପାୟ ଅବଲମ୍ବନ ପୁର୍ବକ ସମସ୍ତ ପ୍ରଜା ମାନଙ୍କ ଠାରୁ ଜବରଦସ୍ତ କର ଆଦାୟ କରାଗଲା । ଖଜଣା ପୈଠ କରିନପାରି ଅନେକ ଜମିଦାରୀ ମଧ୍ୟ ନିଲାମ ହୋଇଗଲା । ଏହା ଫଳରେ ଖୋରଧା ମୂଲକରେ ଦିନକୁ ଦିନ ଭୟ ଆଉ ଅଶାନ୍ତିର ବହ୍ନ୍ନି ଜଳିବାକୁ ଲାଗିଲା ।

୧୮୧୭ ମସିହାରେ ଏହି ଖୋରଧା ଗଡରୁ ବକ୍ସି ଜଗବନ୍ଧୁଂକ ନେତୃତ୍ବରେ ଆରମ୍ଭ ହୋଇଥିଲା ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମ ଯାହାକି ପାଇକ ବିଦ୍ରୋହ ନାମରେ ଇତିହାସର ପୃଷ୍ଠା ମଣ୍ଡନ କରିଛି । ପ୍ରତ୍ୟେକ ଓଡିଆର ଦେହରେ ଶିହରଣ ସୃଷ୍ଟି କରେ ସେଦିନର ସେହି ବୀରତ୍ବ କାହାଣୀର ମୁହୁର୍ତ୍ତ ଗୁଡିକ । ଆମ ପ୍ରିୟ ମାଟି ମାଆକୁ ବିଦେଶୀ କବଳରୁ ରକ୍ଷା କରିବା ଥିଲା ସେମାନଂକ ଶପଥ । ଦେହଟା ଶୀତେଇ ଉଠେ ୧୮୧୭ ମସିହାର ସେହି ମୁହୁର୍ତ୍ତ ଗୁଡିକୁ ଅବଲୋକନ କଲେ । ବାଣପୁରରେ ଅତର୍କିତ ଆକ୍ରମଣ ସେଦିନ ହଇଚଇ ସୃଷ୍ଟି କରିଥିଲା ସମଗ୍ର ଭାରତ ବର୍ଷରେ । ଭୟଭୀତ ହୋଇ ଯାଇଥିଲେ ବିଦେଶୀ ସରକାର । ଆକ୍ରମଣକୁ ପ୍ରତିହତ କରିବା ପାଇଁ ମାଡି ଆସିଥିଲେ ଅସଂଖ୍ୟ ବିଦେଶୀ ସୈନ୍ୟ । ନିମିଷକ ମଧ୍ୟରେ ଧ୍ବଂସ କରି ଦେଇଥିଲେ ସବୁକିଛି । ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିଲେ ଏହି ନିର୍ଭୀକ ଓଡିଆ ବୀର ମାନେ ସତ କିନ୍ତୁ ବଜାୟ ରଖି ଯାଇଛନ୍ତି ଓଡିଆର ସ୍ଵାଭିମାନ ଆଉ ବୀରତ୍ବକୁ ।


Post a Comment

0 Comments