ସ୍ଥାୟୀ ମାନବ ସଭ୍ୟତାର ବିକାଶ ଓ ସାମାଜିକ ଜୀବନର ସୃଷ୍ଟି


ଆଜକୁ ଖ୍ରୀଷ୍ଟପୂର୍ବ ଆଠ ହଜାର ପୂର୍ବେ ମାନବ ସଭ୍ୟତାର ସ୍ଥାୟୀ ବିକାଶ ଘଟିଥିଲା । ପଶୁତୁଲ୍ୟ ଜୀବନ ବିତଉଥିବା ଆଦି ମାନବ ଗୋଷ୍ଠୀ ଓ ସାମାଜିକ ଜୀବନଚର୍ଯ୍ୟା ଆଡକୁ ଧୀରେ ମୁହାଁଇବାକୁ ଲାଗିଲା । ଏବଂ ନଦୀ ଅବବାହିକା ମାନଙ୍କରେ ଆଦିମ ମଣିଷର ସାମାଜିକ ଜୀବନ ଆରମ୍ଭ ହେବା ସହିତ କୃଷିର ବିକାଶ ମଧ୍ୟ ଘଟିଲା । ଆଦି ମାନବ ସଭ୍ୟତାର ବିକାଶ ପ୍ରଥମେ ମେସୋପଟାମିଆ ନଦୀ ଅବବାହିକାରେ ଗଢି ଉଠିବା ସହ ଅନେକ ବସ୍ତୁ, ପଦ୍ଧତି, କଳା, ବିଦ୍ୟା ଓ କୃଷି ଇତ୍ୟାଦିର ଉଦ୍ଭାବନ ହେଲା । ମାନବ ସଭ୍ୟତାର ପ୍ରାଥମିକ ଉଦ୍ଭାବନ ଗୁଡିକ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା, “ଗୋଲାକାର ଚକ୍ର, ମଞ୍ଜି ରୋପଣ ପଦ୍ଧତି ଏବଂ ଶିକ୍ଷା କ୍ଷେତ୍ରରେ ଅନାବନା ଚିତ୍ରଣ ଲିପି, ଗଣିତ ଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ର ଇତ୍ୟାଦି । କୃଷି ମାଧ୍ୟମରେ ପେଟକୁ ଦାନା ସଂଗ୍ରହର ସ୍ଵାଦ ଚାଖିବା ପରେ ଧୀରେ ଧୀରେ ସାମାଜିକ ଜୀବନ ଉନ୍ନତ୍ତ ହେବାକୁ ଆରମ୍ଭ କଲା । କୃଷି କ୍ଷେତ୍ରରୁ ଶସ୍ୟ ଆମଦାନୀ ଏବଂ ଏହାର ସାମାଜିକ ସୁବଣ୍ଟନ ନିମନ୍ତେ ନୀତି ନିୟମ ଏବଂ ଶ୍ରୁଙ୍ଖଳା ବ୍ୟବସ୍ଥା ଇତ୍ୟାଦିର ଆବଶ୍ୟକତାକୁ ଲକ୍ଷ୍ୟକରି ଆଇନି କାନୁନ ଇତ୍ୟାଦିର ପ୍ରଚଳନ କରାଗଲା । ବନ୍ୟଜନ୍ତୁ ଓ ଶତ୍ରୁ କବଳରୁ ନିଜକୁ ରକ୍ଷା କରିବା ପାଇଁ ସମାଜରେ ସୁରକ୍ଷା ବାହିନୀର ଆବଶ୍ୟକତାକୁ ମଧ୍ୟ ପୂରଣ କରାଗଲା । ସାମାଜିକ ଜୀବନ ଏବଂ କୃଷିର ଉଦ୍ଭାବନ ହେବା ପରେ କାଳକ୍ରମେ ପୃଥିବୀର ବିଭିନ୍ନ ନଦୀ ଅବବାହିକା ମାନଙ୍କରେ ମାନବ ସଭ୍ୟତା ଗଢି ଉଠିଥିଲା । ମେସୋପଟାମିଆ ନଦୀ ସଭ୍ୟତା ଆଧାରରେ ପରବର୍ତ୍ତୀ ସମୟରେ ନୀଳନଦୀ, ସିନ୍ଧୁନଦୀ, ଏବଂ ଏଲୋ ନଦୀ ସଭ୍ୟତାର ବିକାଶ ଘଟିଥିଲା। ସହରୀ ଜୀବନର ଶୁବାରମ୍ଭ ମଧ୍ୟ ଏହି ନଦୀ ସଭ୍ୟତା ମାନଙ୍କରେ ଘଟିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ-ବ୍ୟବସାୟ ଓ ଶାସନ ବ୍ୟବସ୍ଥାର ମଧ୍ୟ ପ୍ରଚଳନ ହୋଇଥିଲା ।

Post a Comment

0 Comments