ରାତିର ଜୁଇ

ତୁମେ ଉଇଁ ଥିଲ ନିଶିର ଆକାଶେ
ପୂର୍ଣ୍ଣମୀର ଜହ୍ନ ହୋଇ
ତାରା ମେଳେ ଥିଲ ମୁକୁତାର ମଣି
ତୋଳିଆଣିଥିଲି ମୁହିଁ ॥୧॥

ବିଞ୍ଚୁଥିଲ ତୁମେ କ୍ଷିତିର ହୃଦୟେ
ରୁପେଲି ଜୋଛନା ବାରି
ଗଙ୍ଗଶିଉଳିର ବାସନାରେ ତୁମେ
ପ୍ରୀତିର ରଙ୍ଗକୁ ଧରି ॥୨॥

ଧ୍ରୁବତାରା ଯେବେ ବିଜନ ଆକାଶେ
କଲା ମତେ କବଳିତ
ତୁମରି ପରଶେ ନୟନ ଯୁଗଳ
ହୋଇଗଲା ମୋର ସୁପ୍ତ ॥୩॥

ଈର୍ଷାରେ ଜଳିଲା ସୂରୁଜ ସେଦିନ
ପ୍ରତ୍ୟୁଷର ଈଶାରାରେ
ବିଖଣ୍ଡିତ କଲା ଜୋଛନାକୁ ତୁମ
ରକତର ଖଡ୍ଗ ଧାରେ ॥୪॥

କାନ୍ଦେ କୁଆଁତାରା ହୋଇ କଇଁ କଇଁ
ରଜନୀର ଶବାଧାରେ
ବାହୁନି କାନ୍ଦନ୍ତି ଲତା ପଶୁ ପକ୍ଷୀ

ଜୁଇର ଆଲୋକ ତୀରେ ॥୫॥

Post a Comment

0 Comments