କ୍ଷୁଦ୍ରଗଳ୍ପ - ଫୁଟପାଥ

ସମୟ ପ୍ରାୟ ରାତି ୯ ଟା ଅତିକ୍ରମ କରି ସାରିଥାଏ । ସ୍କରପିଓ ଗାଡ଼ିଟି ଖୁବ ଦ୍ରୁତ ଗତିରେ ମାଡି ଚାଲିଥାଏ ଆଗକୁ... । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଆଉ ୮ କିଲୋମିଟର ବାକି । ଆମ ଯାତ୍ରା ଥିଲା ଜଣେ ସହକର୍ମୀଙ୍କ ବିବାହ ଭୋଜିରେ ଯୋଗଦେବା । ଯାତ୍ରାଟି ଖୁବ ଆନନ୍ଦଦାୟକ ଥିଲା । ଏଥିରେ ଆମେ ସାମିଲ ଥିଲୁ ମୋଟ ୭ ଜଣ ସହକର୍ମୀ । ଯେମିତି ହେଲେ ଆମକୁ ରାତି ୧୦ ଟା ସୁଧା ଆଠଗଡରେ ପହଞ୍ଚିବାକୁ ପଡିବ ।  ବାଙ୍କି ଆଠଗଡ ରାସ୍ତାରେ ଆସିଲା ବେଳକୁ ମହାନଦୀ ବ୍ରିଜ ଅତିକ୍ରମ କରି ସାରିବା ପରେ ପରେ ରାସ୍ତାର ଦକ୍ଷିଣପାର୍ଶ୍ଵରେ ଅଂଶୁପା ହ୍ରଦ ଏବଂ ବାମପାର୍ଶ୍ଵରେ ସରଣ୍ଡା ଗଡ ପଡିଥାଏ । ରାତ୍ରିର ଶୁନଶାନ ଅନ୍ଧକାରକୁ ଅତିକ୍ରମ କରି ଆମ ଗାଡିଟି ପହଞ୍ଚିଗଲା ଅଂଶୁପା ହ୍ରଦ ନିକଟସ୍ଥ ପିକନିକ ସ୍ପଟରେ । ପାଖରେ ଛୋଟ ମନ୍ଦିରଟିଏ । ସେହି ମନ୍ଦିର ନିକଟରେ କେବଳ ଗୋଟିଏ ଲାଇଟକୁ ଛାଡିଦେଲେ, ଚତୁଃପାର୍ଶ୍ୱ ଅନ୍ଧକାରମୟ । ଟିକେ ଋଫ୍ରେଶମେଣ୍ଟ ପାଇଁ ସେଠାରେ କିଛି ସମୟ ଗାଡିଟିକୁ ଅଟକାଇଲୁ । ଅନ୍ଧକାରାଚ୍ଛନ୍ନ ପରିବେଶ ମଧ୍ୟରେ ବି ପ୍ରକୃତିର ମନୋଲୋଭା ଆକର୍ଷଣ ଅଙ୍ଗେ ଅଙ୍ଗେ ଅନୁଭୂତ ହେଉଥିଲା । ଅଂଶୁପାର ସୁଲୁସୁଲିଆ ପବନ ମନର ସତେଜତାକୁ ଦ୍ଵିଗୁଣିତ କରିଦେଉଥାଏ । ହଠାତ ଆମ ଦୃଷ୍ଟିର ଅଦୂରରେ କେହି ଜଣେ ବସିଥିବାର ଦେଖି ଟିକେ ଆଗକୁ ଅଗ୍ରସର ହେଲୁ । ମନ୍ଦିରର ଝାପସା ଆଲୋକରେ ସ୍ପଷ୍ଟ ପ୍ରତୀୟମାନ ହେଉଥାଏ ଜଣେ ବୃଦ୍ଧାଙ୍କ ଚେହେରା । ମନ୍ଦିର ସମ୍ମୁଖ କଂକ୍ରିଟ ରାସ୍ତା ଉପରେ ଘଞ୍ଚ ବନାନୀର ନିଃଶବ୍ଦ ଅନ୍ଧକାର ଆଡକୁ ଅପଲକ ନୟନରେ ଚାହିଁ ବସିଛନ୍ତି ବୃଦ୍ଧା ଜଣଙ୍କ । ତାଙ୍କ ଚତୁଃପାର୍ଶ୍ଵରେ କେତେଗୋଟି ବୁଲା କୁକୁର ନୀରବ ନିଦ୍ରାରେ ଶୋଇ ରହିଛନ୍ତି । ଦେହରେ ଛିନ୍ନ ବସ୍ତ୍ର ଆଉ ପାଖରେ ପଡିରହିଛି କିଛି ସାମଗ୍ରୀ ବନ୍ଧାଥିବା ପୁଟୁଳିଟିଏ । ତାଙ୍କ ନିକଟରେ ଆମ ଉପସ୍ଥିତିକୁ ବୃଦ୍ଧା ଜଣଙ୍କ ଅନୁଭବ କରି ପାରୁନଥିବା ମନେ ହେଉଥିଲା । ନିଶ୍ଚଳ ନୀରବ ଭାବୁକ ଭଳି ସେମିତି ଗୋଟିଏ ଦିଗକୁ ଚାହିଁ ରହିଥାନ୍ତି ସେ । ବୋଧହୁଏ ପାଗଳୀଟିଏ ! ନିଜ ମନକୁ ବୁଝେଇ ପଛକୁ ଫେରି ଆସିଲୁ ଆମେ । ପ୍ରକୃତିର ଶାନ୍ତ ମନୋରମ ପରିବେଶ ମଧ୍ୟରେ ଆଉ କିଛି ସମୟ କଟାଇ ଆଠଗଡ ଅଭିମୁଖେ ବାହାରିବୁ । ନିକଟସ୍ଥ ଗୋଟିଏ ପିଣ୍ଡି ଉପରେ ବସି ଆଳାପ ଆଲୋଚନାରେ ମଜ୍ଜିଗଲେ ମୋର ସମସ୍ତ ବନ୍ଧୁମାନେ । କିନ୍ତୁ ଗୋଟିଏ ତୀବ୍ର ଅନୁଭୂତିର ସମୀକ୍ଷାରେ ମୋ ମନ ଭିତରଟା ଖୁବ ଆନ୍ଦୋଳିତ ହୋଇ ଉଠୁଥାଏ । ବନ୍ଧୁମାନଙ୍କ ମେଳରେ ମୁଁ ନିଜକୁ ଖୁବ ଅସହଜ ମନେ କରୁଥାଏ । ମଝିରେ ମଝିରେ କେବଳ ଚାହୁଁଥାଏ ସେଇ ଅସହାୟ ବୃଦ୍ଧା ଜଣଙ୍କୁ । ମନର ଜିଜ୍ଞାସାକୁ ଚାପି ରଖି ନପାରି ମୁଁ ଖୁବ ଅସ୍ଥିର ହୋଇ ଉଠୁଥାଏ ମୋର ବନ୍ଧୁ ମାନଙ୍କ ଅଗୋଚରରେ ।

କିଛି ମୂହୁର୍ତ୍ତର ବ୍ୟବଧାନ ପରେ ବନ୍ଧୁ ମାନଙ୍କ ଗହଣରୁ ଉଠିଯାଇ ଅଗ୍ରସର ହେଲି ସେଇ ବୃଦ୍ଧାଙ୍କ ନିକଟକୁ । ମନରେ ଟିକେବି ଭୟ ନଥିଲା । ତାଙ୍କ ନିକଟରେ ମୋର ଉପସ୍ଥିତିକୁ ଅନୁଭବ କରି ପାରିଥିଲେ ବୃଦ୍ଧା ଜଣଙ୍କ ।

- ଘର କୋଉଠି ମାଆ ?

ନିରୁତ୍ତର ଥିଲେ ବୃଦ୍ଧା ଜଣଙ୍କ । କେବଳ ମୋତେ ଲୁହ ଛଳ ଛଳ ଆଖିରେ ଚାହିଁ ରହିଥିଲେ ଏକାଲୟରେ । ଯେମିତି ମୁଁ ତାଙ୍କର କେହି ଜଣେ ଅତି ଆତ୍ମୀୟ ଭଳି ଅନୁଭବ ହେଉଥିଲି ବୋଧହୁଏ । ଖୁବ ସହଜରେ ବାରି ହେଇ ଯାଉଥିଲା ତାଙ୍କ ଭୋକିଲା ପେଟର ଅସହାୟତାକୁ । ଇଚ୍ଛା ହେଉଥିଲା ତାଙ୍କ ପାଇଁ କିଛି ଖାଦ୍ୟ ବ୍ୟବସ୍ଥା କରି ଦିଅନ୍ତିକି । ହେଲେ ତାହା ସମ୍ଭବ ନଥିଲା । କାରଣ ନିକଟରେ କୌଣସି ଜନପଦ କିମ୍ବା ଦୋକାନ ବଜାର ନଥିଲା, ପୁଣି ରାତି ବି ଅଧିକ ହୋଇ ଗଲାଣି । ପକେଟରୁ କିଛି ଟଙ୍କା ବାହାର କରି ତାଙ୍କ ଆଡକୁ ବଢାଇଲି । ହେଲେ, ଗ୍ରହଣ କରିବା ବଦଳରେ ସେ କେବଳ କିଛି ଖାଦ୍ୟ ମାଗିବାର ଅଭିନୟ କରିଥିଲେ । କିଛି ମାତ୍ର ଟଙ୍କା ଯାଚି ଖୁବ ଲଜିତ ହେଉଥିଲି ମୁଁ । ତାଙ୍କ ଭୁଭୁକ୍ଷା ମୁହଁର ବିପ୍ଲବକୁ ମୁଁ ପ୍ରତିହତ କରିବାକୁ ସଂପୂର୍ଣ୍ଣ ଅସମର୍ଥ ହୋଇ ପଡିଥିଲି । ଭୋକର ଦାରୁଣ ଉପହାସକୁ ସେ ସହ୍ୟ କରିପାରୁନଥିଲେ ସେତେବେଳକୁ । ମୋ ଛାତି ଭିତରଟା ଖାଲି ଫାଟି ପଡୁଥାଏ । ମୋ ହୃଦୟର କୋହକୁ ମୁଁ ଚାପି ରଖି ପାରୁନଥାଏ । ବନ୍ଧୁ ମାନଙ୍କ ଡାକରେ ପ୍ରକୃସ୍ଥିତ ହୋଇ ଫେରି ଆସିଲି ଗାଡି ଭିତରକୁ । ଲକ୍ଷ୍ୟ କରୁଥାଏ ନିରୀହ ବୃଦ୍ଧା ଜଣଙ୍କ ସେମିତି ମତେ ଚାହିଁ ରହି କଂକ୍ରିଟ ରାସ୍ତା ଉପରେ ଶୋଇ ରହିଥିବା ବୁଲା କୁକୁର ମାନଙ୍କ ମେଳରେ ନିଜେ ଶୋଇଯିବାକୁ ଉଦ୍ୟତ ହେଉଥାନ୍ତି । ଆଉ ସେତେବେଳକୁ ଆମ ଗାଡି ପୁନର୍ବାର ଆଠଗଡ ଅଭିମୁଖେ ଯାତ୍ରା ଆରମ୍ଭ କରି ସାରିଥାଏ । ସମସ୍ତଙ୍କ ଅଜାଣତରେ ମୁଁ କେବଳ ମୋ ଆଖିର ଦୁଇ ଧାର ଅଶ୍ରୁକୁ ପୋଛି ଆଣୁଥିଲି... । 

Share: