ଋଷିକୁଲ୍ୟା ନଦୀ ସଭ୍ୟତାର ମୁକସାକ୍ଷୀ - ଜଉଗଡ

ଜଉଗଡ ହେଉଛି ଓଡିଶାର ଏକ ଐତିହାସିକ ସ୍ଥାନ । ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସହର ଠାରୁ ୧୦ କିଲୋମିଟର ଦୂରରେ ମାଳତୀ ପାର୍ବତ୍ୟ ଇଲାକାରେ ଅବସ୍ଥିତ । ଏଠାରେ ସମ୍ରାଟ ଅଶୋକଙ୍କର ଏକ ଶିଳାଲେଖ ରହିଅଛି ଯାହାକି ତିରିଶି ଫୁଟ ଲମ୍ବ ଓ ପନ୍ଦର ଫୁଟ ଉଚ୍ଚତା ବିଶିଷ୍ଟ । କଳିଙ୍ଗର ଦୁଇ ଗୋଟି ସ୍ଥାନରୁ ମିଳିଥିବା ସମ୍ରାଟ ଅଶୋକଙ୍କର ଶିଳାଲେଖ ମଧ୍ୟରୁ ଏହା ଗୋଟିଏ, ଏବଂ ଅନ୍ୟଟି ଭୁବନେଶ୍ଵର ନିକଟବର୍ତ୍ତୀ ଧଉଳି ପାହାଡରେ ଦେଖିବାକୁ ମିଳେ । ପ୍ରାକୃତ ଭାଷାରେ ଲେଖାଥିବା ଏହି ପ୍ରାଚୀନ ଶିଳାଲେଖ ଗୁଡିକରୁ ତତ୍କାଳୀନ ରାଜତନ୍ତ୍ରରେ ଶାସନ ବ୍ୟବସ୍ଥାର ନୀତି ନିୟମ ଓ ପରିଚାଳନା ବିଷୟରେ ଜାଣିବାକୁ ମିଳେ । ଏହି ଶିଳାଲେଖ ବହୁ ପ୍ରାଚୀନ ହୋଇଥିବାରୁ ପ୍ରତ୍ନତାତ୍ଵିକ ବିଭାଗ ତରଫରୁ ଏହାର ସୁରକ୍ଷା ନିମନ୍ତେ ପଦକ୍ଷେପ ନିଆଯାଇ ଅଛି । ସ୍ପଷ୍ଟ ସୂଚନା ମିଳେ ଏକଦା ଜଉଗଡ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ସାମ୍ରାଜ୍ୟର ଏକ ମୁଖ୍ୟ ଅଂଶ ଥିଲା । ଋଷିକୁଲ୍ୟା ନଦୀ ଅବବାହିକରୁ ମିଳିଥିବା ରୌପ୍ୟ ମୁଦ୍ରା ମୌର୍ଯ୍ୟ ସାମ୍ରାଜ୍ୟ ପୂର୍ବର ବୋଲି ଐତିହାସିକ ମାନେ ମତ ଦିଅନ୍ତି । ଋଷିକୁଲ୍ୟା ନଦୀ ଉପତ୍ୟକାର ଏହି ବିଲୁପ୍ତ ସଭ୍ୟତାର ମୁକ ସାକ୍ଷୀ ହିସାବରେ ଜଉଗଡକୁ ଅନୁମାନ କରାଯାଏ । ଏହାଛଡା ମହାଭାରତରେ ବର୍ଣ୍ଣିତ ଅଛି ଏହା ଜତୁଦୁର୍ଗ ବା ଜଉଦୁର୍ଗ ନାମରେ ପରିଚିତ ଥିଲା ଏବଂ ଦୁର୍ଯୋଧନ ଏହି ଦୁର୍ଗର ନିର୍ମାତା ଥିଲେ ।
Share: