କବିର ପରିଚୟ

କବି ହେଉଛି ଦ୍ଵିତୀୟ ଇଶ୍ଵର । ସୃଜନୀର ଗନ୍ତାଘର । ପଦ୍ମ ପାଖୁଡାଠାରୁ ବି ତା’ର ହୃଦୟ ଅତ୍ୟନ୍ତ କୋମଳ । ସେ ସମାଜର ହିତସାଧନକାରୀ ମାର୍ଗଦର୍ଶକ । କବି କେବେହେଲେ ପ୍ରଶଂସାକୁ ଆଶା କରିନଥାଏ । ପ୍ରଶଂସା ଆପେ ଆପେ ତା’ର ସୃଜନୀର ଦ୍ଵାରଦେଶରେ ପହରା ଦେଇଥାଏ । ନିଜ ଆଡୁ ପ୍ରଶଂସାକୁ ଖୋଜୁଥିବା ମଣିଷଟିଏ କେବେହେଲେ କବି ପଦବାଚ୍ୟ ହୋଇପାରେନା, ବରଂ ଆତ୍ମବଡିମାର ନିଦର୍ଶନ ପାଲଟିଯାଏ । ହେ ବରେଣ୍ୟ ବରେଣ୍ୟା ସ୍ରଷ୍ଟା ଗଣ, ନିଜ ସାଧନାରେ ବ୍ରତୀ ହୁଅନ୍ତୁ ସଫଳତା ଆପେ ଆପେ ଆପଣଙ୍କ ଦ୍ଵାର ଠକ ଠକ କରିବ ।

ନଜରକୁ ଆସେ, ଅନେକ କବିବନ୍ଧୁ ସର୍ବଦା ନିଜ କବିତାରେ କେବଳ ପ୍ରଶଂସାକୁ ଆଶା କରନ୍ତି । ନିଜ କବିତାରେ କେହି ସୁ-ମନ୍ତବ୍ୟ ନରଖିଲେ ଆତ୍ମଗ୍ଲାନିରେ ଷଢି ଯାଆନ୍ତି । ଖୁବ ବ୍ୟଥା ଅନୁଭବ କରନ୍ତି । ସାମୟିକ ପ୍ରଶଂସାରେ ଖୁବ ଉତଫୁଲିତ ହୋଇ ଉଠନ୍ତି । ସାମୟିକ ନିନ୍ଦାରେ ଖୁବ ଭାଙ୍ଗି ପଡନ୍ତି । କିନ୍ତୁ ମୋ ମତରେ ଏଭଳି ମାନସିକତା ଜଣେ କବିର ରୁଗଣ ଭାବାବେଗ । ଏହା ତା’ର ସାରସ୍ଵତ ପ୍ରତିଭାର ନକରାତ୍ମକ ଅନୁଶୋଚନା । କବି କେବେହେଲେ ପ୍ରଶଂସାରେ ଖୁସି ହୋଇନଥାଏ କି ନିନ୍ଦାରେ ଭାଙ୍ଗି ପଡିନଥାଏ । ଜଣେ କବିର ପରିଚୟ ତା’କୁ ଦେବାକୁ ପଡିନଥାଏ, ତାହା କେବଳ ତା’ର ଐକାନ୍ତିକ ନିଷ୍ଠା ଓ ନିରଳସ ସାଧନା ବଳରେ ଆପେ ବିକଶିତ ହୋଇ ସମଗ୍ର ସମାଜକୁ ପରିବ୍ୟାପ୍ତ ହୋଇଥାଏ । କାରଣ ସେ ନିଜେ ହିଁ ନିଜର ପରିଚୟ ।

Share: