କେମିତି ଭୁଲିବି ମୁଁ

କେମିତି ଭୁଲିବି ମୁଁ ମୋ ଗାଆଁ ମାଟିକୁ...
କେମିତି ଭୁଲିବି ମୁଁ ମୋ ମାଆ କୋଳକୁ...

ତା ପାଣି ପବନରେ ଗଢା ମୋ ଜୀବନ
ଆଜିତ ଅଭୂଲା ମୋ ସେଇ ପିଲାଦିନ
ଖୋଜୁଛି ମୁଁ ସେଦିନର ସାଙ୍ଗସାଥି ମେଳକୁ
କେମିତି ଭୁଲିବି ମୁଁ ମୋ ଗାଆଁ ମାଟିକୁ...

ଗାଆଁ ଭାଇ ମେଳେ ଜନ୍ତାଳ ଭୋଜିରେ
ଝୁରୁଛି ମୁଁ ସେଦିନକୁ ଦୋଳ ପରବରେ
ଖୋଜେ ଭାରି ମନେ ମନେ ଶୀତ ସକାଳକୁ
କେମିତି ଭୁଲିବି ମୁଁ ମୋ ଗାଆଁ ମାଟିକୁ...

କୁଆଁର ପୁନେଇଁରେ ଦାଣ୍ଡର ଗହଳ
ହଜି ତ ଯାଇଛି ସେ ବୋହୁଚୋରୀ ଖେଳ
ଶୁଣି ହେଉନାହିଁ ଆଉ ଚକୁଳିଆ ଗୀତକୁ
କେମିତି ଭୁଲିବି ମୁଁ ମୋ ଗାଆଁ ମାଟିକୁ...

ଆଉ ଦିଶୁ ନାହିଁ ବସା ବାୟା ଚଢେଇର
ଶୁଭୁନାହିଁ କିଚି ମିଚି ଘର ଚଟିଆର
ଯୋଗୀ ବଜାଉନି ଆଉ କେନ୍ଦରା ବାଜାକୁ
କେମିତି ଭୁଲିବି ମୁଁ ମୋ ଗାଆଁ ମାଟିକୁ...

ପୂନିଅ ପରବରେ ଝୁରେ ଆଜି ମନ
ଯେତେ ଖୋଜିଲେବି ମିଳେନା ସେଦିନ
ଖୋଜେ ଆଜି ନଈଧାରେ ପାଉଁଜିର ସ୍ଵରକୁ
କେମିତି ଭୁଲିବି ମୁଁ ମୋ ଗାଆଁ ମାଟିକୁ...

ଖାଆଁ ଖାଆଁ ଲାଗେ ଆଜି ଭଗବତଟୁଙ୍ଗୀ
ସ୍ନେହ ପ୍ରେମ ଭକ୍ତି ବନ୍ଧ ଯାଇଅଛି ଭାଙ୍ଗି
କେମିତି ମୁଁ ବୁଝାଇବି ମୋ ନିଜ ମନକୁ
କେମିତି ଭୁଲିବି ମୁଁ ମୋ ଗାଆଁ ମାଟିକୁ...
କେମିତି ଭୁଲିବି ମୁଁ ମୋ ମାଆ କୋଳକୁ...

Share: