ଅଣୁଗଳ୍ପ - ଅଫେରା ସ୍ମୃତି

ନୀରବ ନିଶ୍ଚଳ ତପସ୍ଵୀ ଭଳି ଏକାଲୟରେ ଚାହିଁ ରହିଛି ଶଙ୍କର ସେଇ ସୁଦୀର୍ଘ ଜୀରା ଜଳପ୍ରପାତର ନୀଳ ଜଳରାଶିକୁ । ଆଙ୍ଗୁଳି ଦେଖେଇ ମନେ ମନେ କଣ ସବୁ ଠାବ କରିବାକୁ ଚେଷ୍ଟା କରୁଛି କିଛି ବୁଝି ହେଉନି । ବେଳେ ବେଳେ ଠିଆ ହୋଇ ପଡୁଛି… ପୁଣି ବସି ପଡୁଛି, ଆଉ ଆଖିର ଲୁହ ଗୁଡାକ ପୋଛି ପକାଉଛି ।

ସମସ୍ତେ କୁହନ୍ତି ଶଙ୍କର ଟା ଗୋଟେ ପାଗଳ । କିନ୍ତୁ ସେ ପାଗଳ ନୁହେଁ । ତା’ର ବୟସ ଯେତେବେଳେ ୧୨ କି ୧୩ ବର୍ଷ ହୋଇଥିଲା ସେତେବେଳେ ଏହି ଜଳପ୍ରପାତ ନିର୍ମାଣ ପାଇଁ ଆଖପାଖ ୭ ଖଣ୍ଡ ଗାଆଁ ଏହି ଜଳରାଶି ମଧ୍ୟରେ ବିଲୁପ୍ତ । ସେହିଦିନ ଠାରୁ ଶଙ୍କରର ହାବ-ଭାବରେ ଅଦ୍ଭୁତପୂର୍ବ ପରିବର୍ତ୍ତନ । ପ୍ରତିଦିନ ସନ୍ଧ୍ୟା ହେଲେ ସେ ଏକା ଏକା ଚାଲିଆସେ ଏହି ବନ୍ଧ ଉପରକୁ । ଗୁମସୁମ ହୋଇ କେବଳ ବସିରହେ । ବେଳେବେଳେ କୁହେ, ଅଭୂଲା ଅତୀତ ଗୁଡାକ ଖାଲି ସ୍ଵପ୍ନରେ ହାତଠାରି ଡାକୁଛନ୍ତି ତାକୁ । ହୃଦୟଟା ଖାଲି କୋହରେ ଫାଟି ପଡୁଛି । ପିଲାଦିନର କଥା ଭାରି ମନେପଡୁଛି । ପିଲାଦିନେ ଗାଆଁ ଦାଣ୍ଡର ସେଇ ଧୁଳିଖେଳ, ସେଇ ନାଲିମାଟିର ସ୍କୁଲ ରାସ୍ତା, ଗାଆଁ ମନ୍ଦିର, ସେଇ ପୁରୁଣା ବରଗଛ ତଳର ଚଟାଣ, ଦୋଳ ପଡିଆରେ ମେଳଣ ଯାତରାର ସେଇ ସ୍ମୃତି ସବୁ ଆଜି ଜଳପ୍ରପାତର ଅଥଳ ଗର୍ଭରୁ ତାକୁ ହାତଠାରି ଡାକୁଛନ୍ତି । ଆଉ ଭୋ ଭୋ ହୋଇ କାନ୍ଦିଉଠେ । ସମୟେ ସମୟେ ଘରକୁ ନଯାଇ ସାରା ରାତି ଏଇ ବନ୍ଧ ଉପରେ ଶୋଇପଡେ ।

-ସରକାର କଣ ଏମାନଙ୍କର ଥଇଥାନ କରି ନାହାନ୍ତି ? ପ୍ରଶ୍ନ କଲି ମୋର ବନ୍ଧୁଙ୍କୁ ।

-ସରକାର ଘର ଜମି ସବୁ ଦେଇଛନ୍ତି, ହେଲେ ତା’ର ସେଇ ଅଭୂଲା ଅତୀତର ସ୍ମୃତି ଗୁଡାକ ଫେରାଇ ଦେବାରେ ସରକାର ବିଫଳ ହୋଇଛନ୍ତି ।

-ବନ୍ଧୁଙ୍କୁ ପ୍ରତ୍ୟୁତ୍ତର ଦେବା ପାଇଁ ମୋ ପାଖରେ ଆଉ ଭାଷା ନଥିଲା… ମୁଁ କେବଳ ନୀରବ ଥିଲି । ଆଉ ଜଳପ୍ରପାତର ଅଥଳ ଗର୍ଭରେ ଲୀନ ହୋଇଯାଇଥିବା ଶଙ୍କରର ସେଇ ଅତୀତର ଦିନ ଗୁଡାକୁ ଖୁବ ସହଜରେ ଅନୁଭବ କରିପାରୁଥିଲି ।

Post a Comment

0 Comments