ଅଣୁଗଳ୍ପ - ବିଦୀର୍ଣ୍ଣ ବସନ୍ତ

ବାପାଙ୍କ ନିଷ୍ପତ୍ତି ଉପରେ ପ୍ରତିବାଦ କରିବାର ସାହାସ ନଥିଲା ସୁଜାତାର । ମାଆ ବି ଅନେକ ବୁଝେଇଥିଲା ସେଦିନ ବାପାଙ୍କୁ । ଜାତିରେ ସିନା ଆମଠୁ ଟିକେ କମ, ହେଲେ ଆଉ କେଉଁ ଗୁଣରେ ବିଜନ ଉଣା ଅଛି ଯେ ?? ଝିଅର ପସନ୍ଦ କିଛି ଖରାପ ନୁହେଁ, ମାନି ନିଅ.. ପ୍ଳିଜ । ବାପା ଖୁବ ଗର୍ଜି ଉଠିଥିଲେ ସେଦିନ । ଆଜି ଠୁ ସୁଜାତାର ବାହାରକୁ ଯିବା ବନ୍ଦ । ସମସ୍ତଙ୍କ ଅଜାଣତରେ ବିଜନ ସହ ସେଇ ଶେଷ ଦେଖାରେ ସୁଜାତା ଦେଖି ପାରୁଥିଲା, ବିଜନଙ୍କ ଦୁଇ ଆଖିର ଉଜାଣିକୁ । ଅନୁଭବ କରିପାରୁଥିଲା ତାଙ୍କ ନିଭୃତ ହୃଦୟର କୋହକୁ । କେତେ ସରଳ ଆଉ ଉଦାର ସେ । ହେଲେ, ବାପାଙ୍କ ପ୍ରତିପତି ଆଉ ଆଭିଜାତ୍ୟକୁ ସେଦିନ ସମ୍ମାନ ଜଣେଇ ନିଜ ପ୍ରେମକୁ ତ୍ୟାଗ କରି ଫେରି ଆସିଥିଲା ବିଜନଙ୍କ ପାଖରୁ… ।

ସୁଜାତା ଆଜି କୋଟିପତି ବିକ୍ରମଙ୍କ ସହଧର୍ମିଣୀ । ଅମାପ ପ୍ରାଚୁର୍ଯ୍ୟର ଅଧିକାରିଣୀ, ପୁଣି ବାପାଙ୍କ ସମକକ୍ଷ ଆଭିଜାତ୍ୟର ଜଣେ ଦାୟିତ୍ଵସମ୍ପନ୍ନା ସୁଗୃହିଣୀ । କିନ୍ତୁ ଅସରନ୍ତି ଅଭାବରେ ହନ୍ତସନ୍ତ ହେଉଛି ତା ଦରଦୀ ହୃଦୟଟା । ଗତକାଲି ଆମେରିକାର ଗୋଟେ ଟେଲିଭିଜନ ଚ୍ୟାନେଲରୁ ନାସା ମହାକାଶ ଗବେଷଣା କେନ୍ଦ୍ରର ଜଣେ ସଫଳ ବୈଜ୍ଞାନିକଙ୍କ କାହାଣୀ ଦେଖି ନିଜ ଆଖିକୁ ବିଶ୍ଵାସ କରି ପାରିନଥିଲା ସୁଜାତା । ନାସାର ସେଇ ସଫଳ ବୈଜ୍ଞାନିକ ଜଣକ ଥିଲେ ବିଜନ, ଯିଏ ବର୍ତ୍ତମାନ ବି ଅବିବାହିତ ।

-ଆରେ.. ଆରେ.. ଏ କଣ କରୁଛି ସେ.. ଜଣେ ବିବାହିତା ନାରୀ ପରପୁରୁଷ କଥା ଭାବିବା ଯେ ପାପ !

ସବୁ ଭାବନାର ଅନ୍ତଃ ଘଟାଇ ପ୍ରକୃସ୍ଥିତ ହେଲା ସୁଜାତା । ସେତେବେଳକୁ ସମୟ ରାତି ଗୋଟାଏ… ହଠାତ ବାହାରପଟ ପୋର୍ଟିକୋରେ ଧଳା କାରଟିଏ ହର୍ଣ୍ଣ ବଜାଇ ଏଣ୍ଟ୍ରି କଲା । ଅତ୍ୟଧିକ ନିଶାଶକ୍ତ ଅବସ୍ଥାରେ କାର ଭିତରୁ ବାହରି ଆସୁଥିଲେ ବିକ୍ରମ । ବିଦେଶୀ ମଦର ଗନ୍ଧରେ ଫାଟିପଡୁଥିଲା ଶୀତତାପ ନିୟନ୍ତ୍ରିତ କୋଠରୀ ଗୁଡାକ । ଚାରିଆଡେ ନୀରବତାର ଅଖଣ୍ଡ ରାଜତ୍ଵ । କୌଣସି ପ୍ରତିବାଦ କରିବାର ଶକ୍ତି ନଥିଲା ସୁଜାତା ପାଖରେ । ସେ କେବଳ ବାପାଙ୍କ କଥା ଭାବୁଥିଲା… । ହେଲେ, ବାପା ଆରପାରିରେ ଥାଇ ସୁଜାତାର ଅସହାୟତାକୁ ଆଉ ଦେଖି ପାରୁନଥିଲେ ।

ପୂର୍ବ ରଚିତ କ୍ଷୁଦ୍ରଗଳ୍ପ – ମାତାଲ ର ସଂକ୍ଷିପ୍ତ ରୂପରେ ଏହି ଅଣୁଗଳ୍ପ – ବିଦୀର୍ଣ୍ଣ ବସନ୍ତ

Share: