ଧିକ ତୁମ ଜୀବନ

ଧିକ ତୁମ ଜୀବନ
ଓଡିଶା ମାଟିରୁ ଶୁଭୁଛି
ବିକଳ କ୍ରନ୍ଦନର ସ୍ଵର
ରାଜନୀତିର ଛକାପଞ୍ଛାରେ
ଗରିବ ହେଉଛି ଶିକାର,
ଆଜି ସେ ବିକ୍ରି ହୋଇଯାଇଥିବା
କାଠ ଗଣ୍ଡିଟିଏ ମାତ୍ର,
ନିଜେ ଜଳି ଜଳି
ସାଜେ ଉପଶମ ତୁମ ଭୋକିଲା ପେଟର ॥

ଏହା କଣ ପ୍ରଗତିର ବାସ୍ନା ??
ଧନ୍ୟ ତୁମେ ମଙ୍ଗୁଆଳ
ଧିକ ତୁମ ପାରିବା ପଣ
ପଙ୍ଗୁ ଅଥର୍ବ ସଜେଇ
ଗଦା ଗଦା କର୍ମକୂଢଙ୍କୁ ଜନ୍ମଦେବା
କହିବକି ତୁମ ରାଜନୀତିର କେଉଁ ଗୁଣ ???

ମୁଁ ଜାଣିଛି ନୀରବି ଯିବ ତୁମେ
କଣ ବା ଦେବ ଉତ୍ତର
ନିଜ ପାଇଁ ଖଞ୍ଜି ଚାଲିଛ
ମହଲ ପରେ ମହଲ,
ରାଜରାସ୍ତାରେ ଚିରା ଫଟା କାଗଜ
ଘୋଡେଇ ହୋଇ ଶୋଇଥିବା
ମଣିଷର କଥା
ଭାବିବାକୁ ବେଳ ନାହିଁ ଟିକେବି ତମର ॥

ପ୍ରଗତିର ଡିଣ୍ଡିମ ପିଟି ପିଟି
ଆଉ ଗରିବଙ୍କ ତଣ୍ଟି ଚିପି
ଖୋଳ କରି ଚାଲିଛ ଜାତୀୟ ସମ୍ପତ୍ତି
ପାଇବାକୁ ନିରଙ୍କୁଶ କ୍ଷମତା
ତୁମ ମଧ୍ୟେ ଚାଲିଛି ଛକାପଞ୍ଛା
ପୁଣି କଥା କଟାକଟି ॥

ଧିକ ତୁମ ଜୀବନ
ଗୀତା ଛୁଇଁ କରିଛ ଶପଥ
ଦେବାପାଇଁ ନ୍ୟାୟ
ହେଲେ ପାରୁନ ତ ଦେଇ
ବେକାରୀକୁ ଆୟ
ଧିକ ତୁମ ଜୀବନ ଧିକ ତୁମ ଜୀବନ
ହେ ନିର୍ଲ୍ଲଜ ନିର୍ଦ୍ଦୟ ॥

Post a Comment

0 Comments