ଅଣୁଗଳ୍ପ - ଧ୍ଵଂସର ବିଭୀଷିକା

କଲିଂବେଲର ଆୱାଜରେ ଦ୍ଵାର ଖୋଲିଲେ ଡାକ୍ତର ବିଶ୍ଵଜିତ । ଏଇ କିଛିଦିନ ହେବ ଖୁବ ପରିଚିତ ହୋଇଯାଇଥିବା ସେଇ ଚକଲେଟ ରଙ୍ଗର କାର ଟି ଫାଟକ ପାଖରେ ଛାଡିଦେଇ ଚାଲି ଯାଉଛି ଅଧ୍ୟାପିକା ନିବେଦିତାଙ୍କୁ । ନିର୍ବାକ ଭଳି କେବଳ ଚାହିଁରହିଛନ୍ତି ବିଶ୍ଵଜିତ । ନିବେଦିତା ଚୁପଚାପ ଚାଲିଗଲେ ଅନ୍ୟଏକ କୋଠରୀକୁ… । ଘରଟା ଭିତରେ ନିରବତ୍ତାର ଅଖଣ୍ଡ ରାଜତ୍ଵ ।

ରାତି ଅନେକ ହେଲାଣି !! କେଉଁଠୁ ଫେରୁଛନ୍ତି ନିବେଦିତା ?? ଏଇ କେତେଦିନ ହେଲା କଣ ହେଇଛି କେଜାଣି, ନିବେଦିତା କଲେଜରୁ ଅନେକ ରାତିରେ ଫେରୁଛନ୍ତି ଘରକୁ । ଆଜି ତ ସହଜେ କଲେଜର ଛୁଟିଦିନ । ଧନସମ୍ପଦର ମୀନାର ଉପରେ ଛିଡା ହୋଇ ଆଜି ଖୁବ ଅଭାବ ଅନୁଭବ କରୁଛନ୍ତି ବିଶ୍ଵଜିତ । ସେଦିନର ସେଇ ନିବେଦିତା ଆଉ ଆଜିର ନିବେଦିତା ଭିତରେ ଆକାଶ ପାତାଳ ଫରକ । ନିବେଦିତାଙ୍କର ରାତ୍ରି ଭୋଜନ ବି ଅନେକ ଦିନ ବାହାରେ । କେବେ କେଉଁଥିରେ ତ ଅଭାବ କରି ନାହାନ୍ତି ବିଶ୍ଵଜିତ । ତେବେ ସ୍ଵାଧିନତାର ଦ୍ଵାହି ଦେଇ ଅନେକ ସୀମା ଅତିକ୍ରମ କରି ଚାଲିଛନ୍ତି ନିବେଦିତା । ଡ୍ରଇଙ୍ଗରୁମର ସୋଫା ଉପରେ ସେମିତି ବସିରହି ଅନେକ ବିକ୍ଷିପ୍ତ ଭାବନା ଭିତରେ ସାରା ରାତି ଶୋଇ ପାରୁନାହାଁନ୍ତି ବିଶ୍ଵଜିତ ।

– କ୍ରିଙ୍ଗ… କ୍ରିଙ୍ଗ… କ୍ରିଙ୍ଗ…

ହଠାତ ଟେଲିଫୋନର ଘଣ୍ଟିରେ ନିଜକୁ ପ୍ରକୃସ୍ଥିତ କରିନେଇ ରିସିଭରଟି ଆଡକୁ ହାତ ବଢାଇବା ପୂର୍ବରୁ ରିସିଭରଟିକୁ ଉଠାଇ ନେଇସାରିଥିଲେ ନିବେଦିତା । ସେତେବେଳକୁ ସମୟ ସକାଳ ସାତଟା ବାଜିସାରିଥାଏ…. ।

Post a Comment

0 Comments