କବିତା ନୁହେଁ ଫବିତା

ମନେ ମନେ ଭାବେ ମୁଁ ଯେ କବିଟିଏ
ଜଣା ନାହିଁ ଭାବ ଛନ୍ଦ
ଧାଡି ମାଡିଚାଲେ ଅଜଣା ବାଟରେ
ନଥାଏ କବିତା ଗନ୍ଧ

ଅଭିଧାନ ଦେଖି ଶବ୍ଦମାଳା ଗୁନ୍ଥି
ଲେଖଇ ଗୁଡେ ଫବିତା
ସମ୍ବର୍ଦ୍ଧନା କିଣି ବୋଲାଏ ମୁଁ ଗୁଣୀ
ସତେକି ଜଗତଜିତା

ଲେଖୁଛି ଫବିତା କହୁଛି କବିତା
ଲାଜ ନାହିଁ ମୁଖେ ମୋର
ଲେଖିବା ପୂର୍ବରୁ ଭାବେନା ଜମାରୁ
କବିତା ଭିତର ସାର

କବି ପରିଚୟ ପାଇବି ସେଦିନ
ଲେଖା ହେଲେ କାଳଜୟୀ
ଦୁନିଆଁ କହିବ ଆପେ ଆପେ ମୋତେ
ମୁଁ ଜଣେ କବି ଅଟଇ

ବୃଥା ସମ୍ବର୍ଦ୍ଧନା ଗୁଡାଏ କିଣିଲି
ନଥାଏ ସୃଜନୀ ଗନ୍ଧ
କବି କବି ବୋଲି ନିଜକୁ ମଣିଲି
ଲୋକ ମୁଖେ ଅପସନ୍ଦ

(ମୁଁ କବି ନୁହେଁ.. ମୁଁ ଜଣେ ଫବି । ସେହିଦିନ ମୁଁ କବିର ସିଂହାସନରେ ଅଭିଷିକ୍ତ ହେବି ଆଉ ନିଜକୁ କବି ବୋଲି ପ୍ରମାଣିତ କରି ପାରିବି, ଯେଉଁଦିନ ମୋ କବିତା କାଳକୁ ଜୟ କରିପାରିବ । ସମାଜର ପ୍ରତିଟି ହୃଦୟରେ ବସା ବାନ୍ଧିପାରିବ । ଆଉ ତାହା ହେବ ମୋ କବିତ୍ଵର ସବୁଠାରୁ ବଡ ସମ୍ବର୍ଦ୍ଧନା । ମୋର ଏହି ଫବିତାଟି କୌଣସି ବ୍ୟକ୍ତି ବିଶେଷଙ୍କୁ ଭିତ୍ତି କରି ବା ଆକ୍ଷେପ କରି ଲେଖା ଯାଇନାହିଁ । ସାମ୍ପ୍ରତିକ ସାହିତ୍ୟ କ୍ଷେତ୍ରରେ ଅନେକ ଅନାଦୃତ ପଦ୍ଧତ୍ତିର ପରିବର୍ତ୍ତନ ତଥା ସାମଗ୍ରିକ ମାନସିକତା ଓ ଆଚ୍ଚରଣରେ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ଏହି ଫାବିତା ମୁଁ ରଚନା କରିଅଛି । ଯାହାକୁ ଭଲ ନାଲାଗିବ, ଦୟାକରି ଦେହକୁ ନେବେନି ବରଂ ଏହି ଅଧମର ଧୃଷ୍ଟତାକୁ କ୍ଷମାଦେବେ ।)

Share: