ଅଣୁଗଳ୍ପ - ଓଡିଶା ବନ୍ଦ

ହଠାତ ମୋ କାରଟିକୁ ବାଧ୍ୟ ହୋଇ ଅଟକାଇଲି । ଭୀଷଣ ଜନଗହଳିକୁ ଆଡେଇ ଆଉ ଆଗକୁ ଯିବା ସମ୍ଭବ ନୁହେଁ । ଘଟଣା ବୁଝିଲା ବେଳକୁ ଜଣାପଡିଲା, ଆଜି ବିଭିନ୍ନ ରାଜନୈତିକ ଦଳ ତରଫରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି, ତେଣୁ ରାସ୍ତା ଅବରୋଧ । ହୁତୁ ହୁତୁ ହୋଇ ଜଳନ୍ତା ମୋଟର ଟାୟାର ଗୁଡାକର କଳା ଧୂଆଁ ଆକାଶର ନୀଳିମାକୁ ଲିଭାଇ ସାରିଲାଣି । ଆନ୍ଦୋଳନକାରୀଙ୍କ ଲାଲ ଲାଲ ଆଖି ଗୁଡାକ ଖୁବ ଭୟଙ୍କର ଦେଖାଯାଉଛି । ନା ଆଗକୁ ଯାଇ ହେବ ନା ଆଉ ପଛକୁ ଫେରିହେବ । ପୁଣି ପାଞ୍ଚ ଘଣ୍ଟା ଅର୍ଥାତ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ଏଇଠି ଅପେକ୍ଷା କରିବାକୁ ହେବ ।

-ପା..ଣି.. ପା..ଣି.. ପା..ଣି..

ମୋ କାର ଭିତରୁ ଖନି ମରା ପାଟିରେ ପାଣି ଟିକେ ଦିଅ ବୋଲି ଚିତ୍କାର କରୁଥିଲେ ଆମ ପଡିଶାଘର ମାଧବ ଭାଇ । ଶୁଣିଛି, ଶୋଚନୀୟ ଭାବେ ଦୁଃର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ଡାକ୍ତରଙ୍କ ବିନା ପରାମର୍ଶରେ ପାଣି ଟୋପେ ଦେବା ଠିକ ନୁହେଁ । କାରଣ ମାଧବ ଭାଇଙ୍କ ଅବସ୍ଥା ସାଂଘାତିକ । ଯେମିତି ହେଲେ ତାଙ୍କୁ ଖୁବ ଶୀଘ୍ର ଡାକ୍ତରଖାନାରେ ପହଞ୍ଚାଇବାକୁ ହେବ । ଗାଡି ଭିତରେ ନୂଆବୋଉ ଖାଲି ବିକଳ ହୋଇ କାନ୍ଦୁଥାନ୍ତି । ଏହା ଭିତରେ ଅନେକ ସମୟ ବିତିଗଲାଣି.. । ଧର୍ମଘଟ ଥମିଲା । ଠାକୁରଙ୍କୁ ମୁଣ୍ଡିଆଟେ ମାରି ଖୁବ ଦ୍ରୁତଗତିରେ ଗାଡିକୁ ନେଇ ପହଞ୍ଚେଇଦେଲି କ୍ୟାପିଟାଲ ହସପିଟାଲ ଆପତ୍ତକାଳୀନ କେନ୍ଦ୍ରରେ । ଡାକ୍ତର ଆସି ପରୀକ୍ଷା କଲେ, ହେଲେ ମାଧବ ଭାଇ ଆଉ ନଥିଲେ… ।

Post a Comment

0 Comments