ଅଣୁଗଳ୍ପ - ସାବଧାନ

କୁନା ଆଉ ମୀନାର ସବୁଦିନ ଭଳି ସେଇ ଏକା ଜିଦ “ବୋଉ.. ବାପା କାହିଁକି ଘରକୁ ଆସୁ ନାହାନ୍ତି ଯେ ? ଆମେ ଜମା ଆଉ ସ୍କୁଲ ଯିବୁନି । ହୃଦୟର କୋହକୁ ଚାପି ରଖି ପାରୁନଥିଲା ଦୀପା… । ନୀରବ ଆଖି ଦୁଇଟିରୁ ଲୁହଧାର ଗୁଡାକ ଗଡି ଆସି ତା’ର ଗଣ୍ଡସିକ୍ତ କରୁଥିଲା । ସେଦିନର ସେହି ମର୍ମନ୍ତୁଦ ମୂହୁର୍ତ୍ତ ଆଜିବି ଥରେଇ ଦିଏ ଛାତିକୁ… ।

– ଆରେ ଆରେ ଏ କଣ ? ଟିକେ ରହିଯା… ।
– ଟ୍ରେନ ଆସୁଛି ପରା… ।
– ପାଞ୍ଚ ସାତ ମିନିଟ ଡେରି ହେଇଗଲେ କଣ ପୃଥିବୀ ଓଲଟି ଯିବ… ।

ଲୋକଙ୍କ କଥା ଶୁଣିବାକୁ ଅପେକ୍ଷା କରିନଥିଲା ସଞ୍ଜୟ । ନିମିଷକ ମଧ୍ୟରେ ସବୁ ଶେଷ । ଦ୍ରୁତଗତିରେ ମାଡି ଆସୁଥିବା ଟ୍ରେନର ଚକ ତଳେ ପେଷି ହୋଇଯାଇଥିଲା ସଞ୍ଜୟ । ଦୁର୍ଲ୍ଲଭ ଜୀବନଟା ପାଣିଫୋଟକା ଭଳି ମିଳେଇଗଲା କେଉଁଆଡେ । ପତ୍ନୀ ଦୀପା ହାତରୁ ଭାଙ୍ଗିଗଲା ଚୁଡି.. ସୀମନ୍ତରୁ ଚିରଦିନ ପାଇଁ ଲିଭିଗଲା ସିନ୍ଦୁର । ଅନାଥ ହୋଇଗଲେ ପାଞ୍ଚବର୍ଷର ଯାଆଁଳା ଭାଇ-ଭଉଣୀ କୁନା ଆଉ ମିନା । ଆଜି କେହି ନାହାନ୍ତି ରୋଗୀଣା ବାପାଙ୍କୁ ଡାକ୍ତର ପାଖକୁ ନେବାକୁ… ଆଉ କୁନା ମୀନାଙ୍କୁ ସ୍କୁଲ ନେଇ ଯିବାକୁ… ।

Post a Comment

0 Comments